ରାମବିଳାସ ପାସୱାନଙ୍କ ରାଜନୈତିକ ଯାତ୍ରା । ଛାତ୍ର ଜୀବନରୁ ଆରମ୍ଭ କରିଥିଲେ ରାଜନୀତି । ୬ ପ୍ରଧାନମନ୍ତ୍ରୀଙ୍କ ସରକାରରେ ହୋଇଥିଲେ ମନ୍ତ୍ରୀ । 

600

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁ ପରେ ବିହାରଠୁ ଆରମ୍ଭ କରି ଭାରତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ପ୍ରମୁଖ କେନ୍ଦ୍ରୀୟ ନେତା ଶୋକ ପ୍ରକାଶ କରିଛନ୍ତି ।

ପାସୱାନ ୫ ଜୁଲାଇ ୧୯୪୬ ମସିହାରେ ବିହାରର ଖଗଡିୟା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ମସିହାରେ ରାଜକୁମାରୀ ଦେବୀଙ୍କୁ ବିବାହ କରିଥିଲେ । ହେଲେ ୧୯୮୧ ମସିହାରେ ତାଙ୍କୁ ଛାଡପତ୍ର ଦେଇଥିଲେ । ପରେ ୧୯୮୩ ମସିହାରେ ସେ ଅମୃତସରର ରୀନା ଶର୍ମାଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ୨ଟି ଝିଅ ଥିବା ବେଳେ ଦ୍ୱିତୀୟ ପତ୍ନୀଙ୍କ ଗୋଟିଏ ପୁଅ ଗୋଟିଏ ଝିଅ ରହିଛନ୍ତି ।

ରାଜନୈତିକ ଯାତ୍ରା

ରାମବିଳାସଙ୍କୁ ଲାଲୁ ପ୍ରସାଦ ଯାଦବ ପାଣିପାଗ ବିଜ୍ଞାନୀ କହୁଥିଲେ । କାରଣ ସେ ସବୁବେଳେ ସତ୍ତାରେ ରହୁଥିବା ଦଳ ସହ ରହୁଥିଲେ । ଆଜି ଯାଏଁ ସେ ୬ ପ୍ରଧାନମନ୍ତ୍ରୀଙ୍କ ସହ କ୍ୟାବିନେଟରେ କାମ କରିଛନ୍ତି । ରାମବିଳାସ ପାସୱାନ ଏମରଜେନ୍ସି ବେଳେ କଂଗ୍ରେସ ସରକାରକୁ ବିରୋଧ କରିଥିଲେ । ହେଲେ ପରେ ସେ କଂଗ୍ରେସ ସରକାରରେ ମନ୍ତ୍ରୀ ରହିଥିଲେ । ତେବେ ଆସନ୍ତୁ ଜାଣିବା ରାମବିଳାସ ପାସୱାନଙ୍କ ରାଜନୈତିକ ଯାତ୍ରା ବିଷୟରେ ।

ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ ପାସୱାନ । ଜୟପ୍ରକାଶ ନାରାୟଣଙ୍କ ସମାଜବାଦୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୬୯ ମସିହାରେ ପ୍ରଥମ ଥର ସେ ବିହାର ବିଧାନସଭା ନିର୍ବାଚନରେ ସଂଯକ୍ତ ସୋସିଆଲିଷ୍ଟ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ । ୧୯୭୪ ମସିହାରେ ଯେତେବେଳେ ଲୋକଦଳ ଗଠନ ହୋଇଥିଲେ ସେଥିରେ ସେ ମହାସଚିବ ରହିଥିଲେ । ୧୯୭୫ ମସିହାରେ ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରି ସେ ଜେଲ ମଧ୍ୟ ଯାଇଥିଲେ ।

ପ୍ରଥମ ଥର କେବେ ହୋଇଥିଲେ ସଂସାଦ 

ରାମ ବିଳାସ ପାସୱାନ ୧୯୭୭ ସମିହାରେ ପ୍ରଥମ ଥର ପାଇଁ ଜନତା ପାର୍ଟିରୁ ହାଜିପୁର ସିଟରୁ ପ୍ରାର୍ଥୀ ହୋଇଥିଲେ । ଏଥିରେ ସେ ବିଜୟୀ ହୋଇ ଲୋକସଭା ଯାଇଥିଲେ । ଏହି ସିଟରେ ସେ ବିପୁଳ ଭୋଟରେ ବିଜୟୀ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ପରେ ୧୯୮୦ ମସିହାରେ ପୁଣି ସେହି ସିଟରୁ ଲୋକସଭା ସିଟ ପାଇଁ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ ।

୬ ପ୍ରଧାନମନ୍ତ୍ରୀଙ୍କ ସରକାରରେ ହୋଇଛନ୍ତି ମନ୍ତ୍ରୀ

ରାମ ବିଳାସ ପାସୱାନ ୧୯୮୩ ମସିହାରେ ଦଳିତଙ୍କ ଉତ୍୍ଥାନ ପାଇଁ ଦଳିତ ସେନା ଗଠନ କରିଥିଲେ । ସେହିପରି ୧୯୮୯ରେ ସେ ପୁଣି ତୃତୀୟ ଥର ପାଇଁ ଲୋକସଭାକୁ ଯାଇଥିଲେ । ବିପି ସିଂ ସରକାରରେ ସେ ପ୍ରଥମ ଥର କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ ଓ ତାଙ୍କୁ ଶ୍ରମ କଲ୍ୟାଣ ମନ୍ତ୍ରୀ କରାଯାଇଥିଲା । ଏହାପରେ ସେ ଏଚଡି ଦେବଗୌଡା ଆଇକେ ଗୁଜୁରାଲଙ୍କ ସରକାରରେ ୧୯୯୬ ରୁ ୧୯୯୮ ଯାଏଁ ରେଳମନ୍ତ୍ରୀ ରହିଥିଲେ ।

ପାସୱାନ ୩୨ ବର୍ଷରେ ୧୧ ଥର ନିର୍ବାଚନ ଲଢିଛନ୍ତି । ଯେଉଁଥିରେ ତାଙ୍କୁ ୯ ଥର ବିଜୟ ମିଳିଥିଲା । ଏଥର ସେ ନିର୍ବାଚନ ଲଢିନଥିଲେ, ହେଲେ ସେ ଏଥର ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।