ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର : ପାଟଣାରେ ଜଳିବ ଜୁଇ, ଦଳୀୟ କାର୍ଯ୍ୟାଳୟ ପରେ ରାଜ୍ୟ ବିଧାନସଭାରେ ଶେଷ ଦର୍ଶନ କଲେ ବିଭିନ୍ନ ଦଳର ତୁଙ୍ଗ ନେତା

134

କନକ ବ୍ୟୁରୋ : ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଆଜି ହେବ ଅନ୍ତିମ ସଂସ୍କାର । ଦିନ ପ୍ରାୟ ୧୦ ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ଦିଲ୍ଲୀର ୧୨ ଜନପଥରୁ ତାଙ୍କର ପାର୍ଥିବ ଶରୀରକୁ ପାଟନା ଅଣାଯିବା ପରେ ଲୋକ ଜନଶକ୍ତି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମୀ ଓ ନେତା ଶେଷ ଦର୍ଶନ କରି ବିଦାୟ ଦେଇଥିଲେ । ସେହିପରି ବିହାର ବିଧାନସଭାକୁ ନିଆଯାଇଥିଲା ପାର୍ଥିବ ଶରୀର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବିଭିନ୍ନ ଦଳର ନେତା ଓ ବିଧାୟକ ବିଧାନସଭାରେ ରାମବିଳାସ ପାଶୱାନଙ୍କ ଶେଷ ଦର୍ଶନ କରି ବିଦାୟ ଜଣାଇଛନ୍ତି ।

ବିହାରର ବିଭିନ୍ନ ରାଜନୈତିକ ଦଳର ନେତା ପହଁଚି ପାଶୱାନଙ୍କ ଅନ୍ତିମ ଦର୍ଶନ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ପାଶୱାନଙ୍କ ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆଜି ପାଟନାରେ ପାଶୱାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହିତ ସଂପନ୍ନ ହେବ । ଏଥିରେ ସାମିଲ ହେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତକାଲି ଠାରୁ ପାଟନା ପହଁଚି ସାରିଛନ୍ତି । ଗୁରୁବାର ରାତିରେ ରାମବିଳାସ ପାଶୱାନଙ୍କ ପରଲୋକ ଘଟିଥିଲା ।

ଚିକିତ୍ସାଧୀନ ଥିବା ଅବସ୍ଥାରେ ୭୪ ବର୍ଷ ବୟସରେ ଆଖି ବୁଜିଥିଲେ ରାମବିଳାସ ପାଶୱାନ । ଏହା ସହିତ ଦେଶ ରାଜନୀତିରେ ରାମବିଳାସ ପାଶୱାନଙ୍କ ୫୦ ବର୍ଷର ଯାତ୍ରାର ଶେଷ ହୋଇଛି । ବିହାରରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଏହି ଦଳିତ ନେତା କେନ୍ଦ୍ରରେ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହିତ କାମ କରିଛନ୍ତି । ବିଶ୍ୱନାଥ ପ୍ରତାପ ସିଂଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ଯାଏଁ ରହିଥିଲା କେନ୍ଦ୍ର ରାଜନୀତିରେ ପାଶୱାନଙ୍କ ଯାତ୍ରା । ଆଜି ତାଙ୍କର ପରଲୋକ ଜାତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ।