ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ ।

159

କନକ ବ୍ୟୁରୋ : ପୂରଣ ହେବ ୫୦୦ ବର୍ଷର ସ୍ୱପ୍ନ । ଆଜି ରାମ ମନ୍ଦିରରେ ବିରାଜିବେ ରାମ ଲଲା । ସକାଳ ସାଢେ ୫ଟାରୁ ମନ୍ଦିର ଖୋଲାଯାଇଥିବା ବେଳେ ୮ଟାରୁ ବିଭିନ୍ନ ପୂଜାପାଠ, ରୀତିନୀତି ଆରମ୍ଭ ହେବ । ସକାଳ ୧୦ଟାରୁ ଆରମ୍ଭ ହେବ ମଙ୍ଗଳଧ୍ୱନୀ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ରରେ କମ୍ପିବ ମନ୍ଦିର ପରିସର ।

୧୦ଟା ୩୦ ସୁଦ୍ଧା ଅତିଥିମାନେ ମନ୍ଦିରରେ ପ୍ରବେଶ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି । ରାମମୟ ହୋଇପଡିଛି ପୁରା ଅଯୋଧ୍ୟା । ୨ହଜାର କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା ସହର । ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ, ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସରଜୁ ନଦୀରୁ ପାଣି ଅଣାଯାଇ ଭବ୍ୟ ମନ୍ଦିରକୁ ଶୁଦ୍ଧ କରାଯିବ । ରାମଲଲାଙ୍କ ଲାଗି ୫୬ ଭୋଗ ଲଗାଯିବ । ଏହାପୂର୍ବରୁ ଗତକାଲି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯାଇଥିଲା ।