ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି । ଯୋଗଦେବେ ୫୪ଟି ଦେଶର ଶହେ ପ୍ରତିନିିଧି

152

କନକ ବ୍ୟୁରୋ : ଏବେ ରାମମୟ ଅଯୋଧ୍ୟା ନଗରୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପୁରା ଅଯୋଧ୍ୟା ନଗରୀ ନୂଆ ରୂପରେ ସଜେଇ ହେଉଛି । ଯେପରି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସୁରୁଖୁରୁରେ ଓ ଭବ୍ୟ ଆକାରରେ ସମାପନ ହେବ, ଏଥିପାଇଁ ସବୁ ଦିଗ ପ୍ରତି ନଜର ରଖାଯାଉଛି । ପ୍ରାଣପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ଥିବା ଅତିଥିମାନଙ୍କ ତାଲିକା ନିର୍ଦ୍ଧାରିତ କରାଯାଇ ସାରିଛି । ଦେଶବିଦେଶରୁ ଅତିଥିମାନେ ଏଥିରେ ସାମିଲ ହେବେ । ବିଶ୍ୱର ବହୁ ଦେଶରୁ ହାଇପ୍ରୋଫାଇଲ ଅତିଥି ଏହି ଉତ୍ସବରେ ଉପସ୍ଥିତ ରହି ଇତିହାସର ସାକ୍ଷୀ ପାଲଟିବେ । ୫୪ଟି ଦେଶରୁ ୧୦୦ ଜଣ ହାଇପ୍ରୋଫାଇଲ ବିଦେଶୀ ଅତିଥି ଯୋଗଦେବାକୁ ସହମତି ଦେଇସାରିଛନ୍ତି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ମରିସସ୍ ଓ ଆଫ୍ରିକାର କିଛି ଦେଶର ପ୍ରତିନିଧି ଏଥିରେ ସାମିଲ ହେବେ ।

ବହୁ ବିଦେଶୀ ଅତିଥି ଆସୁଥିଲେ ବି ଦକ୍ଷିଣ କୋରିଆର ଅତିଥିଙ୍କ ଉପରେ ବିଶେଷ ନଜର ରହିଛି । କିମ୍-ଚୁଲ-ସୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ସେ କୁଇନ୍ ହୁ ବଂଶର ଦାୟାଦ । ତେବେ କୁଇନ୍ ହୁଙ୍କ ପ୍ରକୃତ ନାମ ଥିଲା ସୁରିରତ୍ନା । ସୁରିରତ୍ନା ଅଯୋଧ୍ୟାର ରାଜକୁମାରୀ ଥିଲେ । ପରେ ସେ କୋରିଆ ଭ୍ରମଣାରେ ଯାଇଥିଲେ ଓ ସେଠାରେ ରହିଯାଇଥିଲେ । ଏହାସହ ସୁରିରତ୍ନା ସେଠାରେ କରକ ବଂଶ ଆରମ୍ଭ କରିଥିଲେ । ଖାଲି ବିଦେଶୀ ଅତିଥି ନୁହଁନ୍ତି । ଅତିଥି ତାଲିକାରେ ଦେଶର ୫୦୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ମଧ୍ୟ ରହିଛି । ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ଆନନ୍ଦ ମହିଦ୍ରା ପ୍ରମୁଖଙ୍କ ନାଁ ଏଥିରେ ଅଛି । ଅଭିନତା, ବ୍ୟବସାୟୀ, ରାଜନେତା ସବୁ ବର୍ଗର ବିିଶିଷ୍ଟ ବୃକ୍ତି ଏହି ତାଲିକାରେ ସାମିଲ ଅଛନ୍ତି ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଖାଲି ଭାରତର କୋଣ ଅନୁକୋଣରୁ ନୁହେଁ, ବିଦେଶରୁ ବି ଭକ୍ତମାନେ ପହଂଚିବାରେ ଲାଗିଛନ୍ତି । ନେପାଳରୁ ବହୁ ସଂଖ୍ୟକ ଭକ୍ତ ଅଯୋଧ୍ୟାରେ ପହଂଚିଛନ୍ତି । ଏପରି ଐତିହାସିକ ମୁହୂର୍ତରେ ସାମିଲ ହେବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି । ସେହିପରି ଜର୍ମାନୀରୁ ମଧ୍ୟ ଭକ୍ତ ଅଯୋଧ୍ୟାରେ ପହଂଚିଛନ୍ତି ।

୨୨ ତାରିଖ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି ଯୋଗୀ ସରକାର । ସେହିଦିନ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।