କନକ ବ୍ୟୁରୋ: ହରିଆଣାର ବହୁଚର୍ଚ୍ଚିତ ରାମ ରହିମ୍ ପୁଣିଥରେ ୨୧ଦିନିଆ ପାରୋଲରେ ଜେଲ ବାହାରୁ ଆସିଛନ୍ତି । ଶିରୋମଣୀ ଅକାଳୀ ଗୁରୁଦ୍ୱାରା କମିଟିର ବିରୋଧ ସତ୍ୱେ ହରିଆଣାର ବିଜେପି ସରକାର ଏହି ପାରୋଲ ପାଇଁ ଅନୁମତି ଦେଇଛନ୍ତି । ତେବେ ଆଜିକୁ ମିଶାଇ ରାମ ରହିମ ଗତ ୨୪ ମାସ ଭିତରେ ସପ୍ତମଥର ପାଇଁ ପାରୋଲରେ ଜେଲରୁ ବାହାରିଛନ୍ତି । ଜାନୁଆରୀ ମାସରେ ୫୦ ଦିନ ପାଇଁ ପାରୋଲରେ ଆସିଥିବାବେଳେ ଏବେ ପୁଣି ୨୧ଦିନ ପାଇଁ ଆସିବା ଘଟଣା ଅନେକ ପ୍ରଶ୍ନ ମଧ୍ୟ ଉଠାଇଛି ।

Advertisment

ଡେରା ସଚ୍ଚା ମୁଖ୍ୟ ବାବା ରାମ ରହିମ ନିଜ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୭ ମସିହାରୁ ସଜ୍ଜା କାଟୁଛନ୍ତି । ଏପରିକି ଆଶ୍ରମର ମ୍ୟାନେଜର ରିଜିତ ସିଂଙ୍କ ହତ୍ୟା ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜୁନ ମାସରେ ପାରୋଲ ପାଇଁ ରାମରହିମ ପଞ୍ଜାବ ଓ ହରିଆଣା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାକୁ ଶିରୋମଣୀ ଅକାଳୀ ଦଳ ବିରୋଧ ମଧ୍ୟ କରିଥିଲା । ମାତ୍ର ଆବେଦନ ଉପରେ ଶୁଣାଣି କରି କୋର୍ଟ ଫଇସଲା ରାଜ୍ୟ ସରକାରଙ୍କ ଉପରେ ନିଷ୍ପତି ଛାଡିଦେଇଥିଲେ । ତେବେ ଜେଲରେ ଥିବା ସମୟରେ ଜଣେ କଏଦୀର ଭଲ ଆଚରଣ ଥିଲେ ବହୁ ସମୟ ବ୍ୟବଧାନ ପରେ ପାରୋଲ ମିଳିଥାଏ ।

ହରିଆଣା ଗୁଡ କଣ୍ଡକ୍ଟ ପ୍ରିଜନର ଟେମ୍ପରାରି ରିଲିଜ ଆକ୍ଟ ୨୦୨୨ ଅନୁସାରେ କାହାପ୍ରତି ପକ୍ଷପାତିତା ବିନା ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଜାବ ସରକାର କହିଥିଲେ ରାମ ରହିମଙ୍କ ପାରୋଲ ମିଳିଲେ ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିପାରେ । ମାତ୍ର ହରିଆଣା ବିଜେପି ସରକାର ପୁଣିଥରେ ରାମ ରହିମଙ୍କୁ ପାରୋଲ ପାଇଁ ଅନୁମତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପଞ୍ଜାବ, ହରିୟାଣା,ହିମାଚଳ,ଉତ୍ତରପ୍ରଦେଶରେ ରାମରହିମଙ୍କ ଡେରା ସଚ୍ଚାର ବହୁ ଅନୁଗାମୀ ଅଛନ୍ତି । ଆଗକୁ ହରିଆଣା ବିଧାନସଭା ନିର୍ବାଚନଥିବାରୁ ହରିଆଣା ବିଜେପି ଏହି ଅନୁଗାମୀଙ୍କ ଶିକାର ହେବାକୁ ଚାହୁଁନଥିବା କୁହାଯାଇପାରେ । ତେଣୁ ମୁଖ୍ୟଙ୍କୁ ପାରୋଲ ଦେଇ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ଅନୁମାନ କରାଯାଉଛି ।