କନକ ବ୍ୟୁରୋ: ତମେ ଯେଉଁଠି ଅଛ, ଯେମିତି ବି ଅଛ, ଶୀଘ୍ର ଘରକୁ ଆସ... ମୁଁ ଭାସିଗଲି...ଆମ ପୁଅ, ଆମ ଗେହ୍ଲା ପୁଅ ଆଉ ଏ ଦୁନିଆରେ ନାହିଁ... ଆମକୁ ସବୁଦିନ ପର କରି ଚାଲିଗଲା...ହ୍ୟାଲୋ... ହ୍ୟାଲୋ... ମୋବାଇଲ ସେପଟୁ ଆଉ କିଛି ଶୁଭୁ ନଥିଲା । କାନରେ ନିଷ୍ଠୁର ସତ ପଡିବା ପରେ ପାଦ ତଳୁ ମାଟି ଖସିଗଲା... ମୁଣ୍ଡ ଉପରକୁ ଆକାଶଟା ଛିଡି ପଡିଲା ଆଉ ଚାରିଆଡେ ଅନ୍ଧାର ଦିଶୁଥିଲା । ସ୍ତ୍ରୀ ଠାରୁ ପୁଅ ମୃତ୍ୟୁର ଖବର ଶୁଣିବା ପରେ ସ୍ତବ୍ଧ ପାଲଟି ଗଲା ଶ୍ରମିକ ବାପା । ଆଉ ତାଲାବନ୍ଦ ପାଇଁ ବାହାରେ ଫସିଥିବାରୁ ପୁଅ ମୁହଁ ଚାହିଁ ନପାରି ନିଜ ବାପପଣିଆକୁ ଧିକ୍କାର କରୁଥିଲେ ଏ ଶ୍ରମିକ ଜଣଙ୍କ । ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେବ ଖୁବ ଭାଇରାଲ ହେଉଥିବା ଏ ଫଟୋ ପଛରେ ରହିଛି ଏକ କରୁଣ କାହାଣୀ...

Advertisment

ରାମ ପୁକାର ପଣ୍ଡିତ । ବାହାର ରାଜ୍ୟରେ ଫସିଥିବା ଜଣେ ଦାଦନ ଶ୍ରମିକ । ଭାବିଥିଲେ ତାଲା ଫିଟିଲେ ଘରକୁ ଯିବେ ଆଉ ତାଙ୍କ ବର୍ଷକର ଗେହ୍ଲା ପୁଅକୁ ଗେଲ କରି ସମୟ ବିତାଇବେ । ହେଲେ ତାଲା ଫିଟିବା ଆଗରୁ ତାଙ୍କ ସବୁ ସ୍ୱପ୍ନରେ ପଡିଯାଇଥିଲା ତାଲା । ବିହାର ବେଗୁସୁରାଇ ଗାଁରୁ ସ୍ତ୍ରୀ ଫୋନ କରି ତାଙ୍କ ବର୍ଷକର ପୁଅ ମୃତ୍ୟୁର ଖବର ଦେଇଥିଲେ । ଛାତି ଫଟା ଖବର ଶୁଣି ଭାଙ୍ଗି ପଡିଥିବା ବାପା ଭୋ ଭୋ କାନ୍ଦିଥିଲେ ଆଉ ଏକୋଇର ବୋଳା ବିସିକେଶନର ଶେଷ ମୁହଁ ଦେଖିବାକୁ ଆଗେଇ ଆସିଥିଲେ ।

publive-image

ବାସ ତାପରେ ଲକଡାଉନ ଭିତରେ ଆରମ୍ଭ ହୋଇଥିଲା ଲୁହର ଲଢେଇ । ବସ. ଟ୍ରେନ ନମିଳିବାରୁ ପୁଅକୁ ଶେଷଥର ଦେଖିବାକୁ ପାଦରେ ଚାଲି ଚାଲି ବାହାରିଥିଲେ ବାପା । ଖଇଫୁଟା ଖରାକୁ ଖାତିର ନକରି ତତଲା ରାସ୍ତାରେ ପାଦ ପୋଡିଯାଉଥିଲେ ବି କିନ୍ତୁ କେଉଁଠି ଅଟକୁ ନଥିଲା । କାରଣ ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ ପାଇଁ ଶ୍ରମିକ ବାପାର ଶକ୍ତିହୀନ ପାଦରେ ଶକ୍ତି ଯୋଗାଉଥିଲା ପୁଅର ସ୍ନେହ ।

ଘରକୁ ଫେରିବା ବେଳେ ଉତ୍ତର ପ୍ରଦେଶ ଫାଟକ ନିକଟରେ ରାମ ପୁକାରଙ୍କୁ ଅଟକାଇଥିଲା ଗାଜିଆବାଦ ପୋଲିସ । କୁନି ପୁଅର ମୃତ୍ୟୁ କଥା କହି ନିଜ ଅସହାୟତା ବାଖାଣି ଯେତେ କାକୁତି ମିନତି ହୋଇଥିଲେ ବି ପୋଲିସ ତାଙ୍କୁ ଛାଡିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଓଭରବ୍ରିଜ ଉପରେ ଦୀର୍ଘ ୩ ଦିନ ଅପେକ୍ଷା କରିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଦିଲ୍ଲୀ ରେଳ ଷ୍ଟେସନରେ ଛଡାଯାଇଥିଲା । ଆଉ ସେ ଟ୍ରେନ ଯୋଗେ ନିଜ ଗାଁ ବିହାର ବେଗୁସରାଇରେ ପହଞ୍ଚିଥିଲେ ।

ଲକଡାଉନର ଲକ୍ଷ୍ମଣରେଖା ଡେଇଁ ରାମପୁକାର ସିନା ନିଜ ମାଟିରେ ପହଞ୍ଚିଗଲେ ହେଲେ ଶେଷ ଥର ପାଇଁ ବି ନିଜ ପୁଅର ମୁହଁ ଦେଖି ପାରିନଥିଲେ । ସୀମା ଡେଇଁ ସ୍ନେହକୁ ଦେଖିବା ଆଗରୁ ବାପ ଠାରୁ ସବୁଦିନ ପାଇଁ ଦୂରେଇ ଗଲା ପୁଅ । କିଛି ଦିନ ପରେ ହୁଏତ ବାପାର ଗୋଡରୁ ପାଦଚଲା ଦରଜ କମିଯିବ ହେଲେ ହୃଦୟରେ ହୋଇଥିବା ଏ ଗଭୀର ଦରଜ ସତରେ କମିବ ତ ?