ଆଜି ଜଗନ୍ନାଥ ଦର୍ଶନ ପାଇଁ  ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଜଗା ଦର୍ଶନ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ଦର୍ଶନ କରିବେ

ରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି ପୁରୀ ଓ କୋଣାର୍କରେ କଡ଼ା ସୁରକ୍ଷା

82

କନକ ବ୍ୟୁରୋ : ଆଜି ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ ପାଇଁ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବାହ୍ନ ୮ଟା ୪୫ ମିନିଟରେ ସେନାର ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ପୁରୀ ତାଳବଣିଆଠାରେ ପହଂଯିବେ । ସେଠାରୁ କାର ଯୋଗେ କଡ଼ା ସୁରକ୍ଷା ଭିତରେ ଭିଆଇପି ରୋଡ୍ ଓ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରାଯିବ ।

ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶର ପ୍ରାୟ ୩୦ ମିନିଟ୍ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଅନ୍ୟ କୌଣସି ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏହି ସମୟରେ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ । ସିଂହଦ୍ୱାର ନିକଟରେ ଗଜପତି ମହାରାଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ରତ୍ନସିଂହାସନ ନିକଟରେ ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ।

ଏହା ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀ ଶ୍ରୀମନ୍ଦିର ଦର୍ଶନ ସାରି ଦିନ ୧୦ଟା ୨୫ ମିନିଟରେ କୋଣାର୍କରେ ପହଂଚିବେ । କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ ପରେ ଓଟିଡିସି ଯାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ କରିବେ । ଏହା ପରେ ଅପରାହ୍ନ ୪ଟା ୧୫ ମିନିଟ୍ ରେ ସେଠାରୁ ରାଷ୍ଟ୍ରପତି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।