ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ଅଭିଯୋଗ । ଆପ୍ ଓ ସମାଜବାଦୀ ପାର୍ଟିର ଅଭିଯୋଗ, ପ୍ରକୃତ ମୂଲ୍ୟ ଠାରୁ ବହୁ ଅଧିକ ମୂଲ୍ୟରେ କିଣାଯାଇଛି ଜମି ।

175

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଆପ୍ ଏବଂ ସମାଜବାଦୀ ପାର୍ଟି । ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଟ୍ରଷ୍ଟ ଦ୍ୱାରା ଏକ ଜମି କିଣାବିକା ବେଳେ ଦୁର୍ନୀତି ହୋଇଥିବା ଉଭୟ ପାର୍ଟି ଅଭିଯୋଗ କରିଛନ୍ତି ।

ଏପରିକି ସିବିଆଇ କିମ୍ବା ଇଡି ଦ୍ୱାରା ଏହାର ତଦନ୍ତ ପାଇଁ ଦାବି ଉଠାଇଛନ୍ତି ଆପ୍ ଓ ଏସପି । ଶିବସେନା ମଧ୍ୟ ଏହି ଜମି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଦାବି କରଛି । ତେବେ ଏହି ଅଭିଯୋଗ ପରେ ଜବାବ ରଖିଛି ରାମ ମନ୍ଦିର ଟ୍ରଷ୍ଟ ବୋର୍ଡ । ତେବେ ନଜର ପକାନ୍ତୁ କ’ଣ ରହିଛି ଆପର ଅଭିଯୋଗ…

  • ୨୪୩, ୨୪୪ ଓ ୨୪୬ ନାଁରେ ପଂଜୀକୃତ ଜମିର ଆନୁମାନିକ ମୂଲ୍ୟ ୫.୮୦ କୋଟି
  • ସୁଲତାନ ଅନସାରି ଓ ରବି ମୋହନ ତିୱାରି ନାମକ ଦୁଇ ଜମି ବେପାରୀ ଏହି ଜମି କିଣିଥିଲେ
  • ପ୍ରଥମେ ଏହି ଜମିକୁ ୨ କୋଟି ମୂଲ୍ୟରେ କିଣାଯାଇଥିଲା ବୋଲି ଆପ୍ କହିଛି
  • ‘ପରେ ଏହି ଜମିକୁ ପୁଣି ଥରେ ବହୁ ଅଧିକ ଦାମରେ କିଣାଯାଇଛି’
  • ‘୨ କୋଟିରେ କିଣା ଯାଇଥିବା ଜମିକୁ ପରେ ମନ୍ଦିର ଟ୍ରଷ୍ଟ ୧୮ କୋଟିରେ କିଣିଛିି’

ତେବେ ଏହି ଅଭିଯୋଗ ପରେ ଜବାବ ରଖିଛି ରାମ ମନ୍ଦିର ଟ୍ରଷ୍ଟ ବୋର୍ଡ । ବୋର୍ଡର କହିବା କଥା ନୀତିଗତ ଭାବେ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଜମି କିଣାଯାଇଛି । ଆଉ ଯେଉଁ ଜମିର ଅଧିକ ଦାମ ବଢ଼ିବା କଥା କୁହାଯାଉଛି, ତାହାର ମଧ୍ୟ କାରଣ ରହିଛି । ଜମି ବେପାରୀ ବହୁ ବର୍ଷ ତଳେ ଏହି ଜମିକୁ ୨ କୋଟିରେ କିଣିଥିଲେ । ହେଲେ ରାମ ମନ୍ଦିର ରାୟ ପରେ ଅଯୋଧ୍ୟାରେ ଜମିର ମୂଲ୍ୟ ବହୁ ଗୁଣା ବଢ଼ିଯାଇଛି ଓ ତେଣୁ ଅଧିକ ଦାମରେ ଜମି କିଣା ହୋଇଛି ବୋଲି ଟ୍ରଷ୍ଟ କହିଛି । ଜମି ବେପାରୀ ରବି ମୋହନ ତିୱାରି ମଧ୍ୟ ସମାନ କଥା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟରେ ରାମ ମନ୍ଦିର ରାୟ ପରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏଥିପାଇଁ ସାରା ଦେଶରେ ଚାନ୍ଦା ସଂଗ୍ରହ ମଧ୍ୟ କରାଯାଇଥିଲା ।