କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଉପରେ ତାମିଲନାଡୁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।

Advertisment

ଏକ ତାମିଲ ଖବର କାଗଜର ଖବରକୁ ଉଦ୍ଧୃତ କରି କହିଛନ୍ତି କି, ତାମିଲନାଡୁ ସରକାର କେବଳ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ନୁହେଁ ବରଂ ରାଜ୍ୟରେ ଥିବା ରାମ ମନ୍ଦିରଗୁଡିକରେ ପ୍ରାଣ ପ୍ରତିଷ୍ଠା ଦିନ ପୂଜା କରିବା ଉପରେ ରୋକ୍ ଲଗାଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି କି, ହିନ୍ଦୁ ଧାର୍ମିକ ଓ ଧର୍ମାନୁଷ୍ଠାନ ବିଭାଗ ଦ୍ୱାରା ପରିଚାଳିତ ମନ୍ଦିରଗୁଡିକରେ ଶ୍ରୀରାମଙ୍କ ନାମରେ କୌଣସି ପୂଜା, ଭଜନ, ପ୍ରସାଦ ଅନ୍ନଦାନକୁ ମଧ୍ୟ ତାମିଲନାଡୁ ସରକାର ଅନୁମତି ଦେଇନାହାଁନ୍ତି । ପୋଲିସ ମଧ୍ୟ ଘରୋଇ ମନ୍ଦିରଗୁଡିକରେ କାର୍ଯ୍ୟକ୍ରମ କରିବା ଉପରେ ରୋକ ଲଗାଇଛି । ଏହାସହ ଯେଉଁ ମଣ୍ଡପରେ ଶ୍ରୀରାମଙ୍କ ପୂଜା କରିବାର ଦେଖିବାକୁ ମିଳିବ ତାହାକୁ ଭାଙ୍ଗିଦେବାକୁ ଆୟୋଜକଙ୍କୁ ଧମକ ଦିଆଯାଉଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ ।

ଏକ ତାମିଲ ଖବର କାଗଜର ରିପୋର୍ଟକୁ ଟ୍ୟାଗ୍ କରି ଅର୍ଥମନ୍ତ୍ରୀ କହିଛନ୍ତି କି, ସେମାନେ ହିନ୍ଦୁ ବିରୋଧୀ ଓ ଏଭଳି ଘୃଣିତ କାର୍ଯ୍ୟପାଇଁ ତାମିଲନାଡୁ ସରକାରଙ୍କୁ କଡା ନିନ୍ଦା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ପିକେ ଶେଖର ବାବୁ କହିଛନ୍ତି କି, ଏଭଳି କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି କି, ସଲେମ ଠାରେ ଚାଲିଥିବା ଡିଏମକେ ଯୁବଶାଖା ସମ୍ମିଳନୀରୁ ଲୋକମାନଙ୍କ ଧ୍ୟାନ ହଟାଇବାକୁ ଏଭଳି ମିଥ୍ୟା ପ୍ରଚାର କରାଯାଉଛି ।