କନକ ବ୍ୟୁରୋ: କୁହାଯାଏ ଚେଷ୍ଟା କରୁଥିବା ଲୋକ ହିଁ ଜୀବନରେ ସଫଳ ହୁଏ । ଆଉ ପରିଶ୍ରମ କରୁଥିବା ଲୋକ ହିଁ ସଫଳତା ପାଇଥାଏ । ଏଇ ଯେମିତି ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବା ଭାରତୀୟ ଖେଳାଳି ରାମବାବୁ ।

Advertisment

ଦିନେ ସେ ପରିବାର ଚଳାଇବା ପାଇଁ ମନରେଗା ଯୋଜନାରେ ଶ୍ରମିକ ହେଇ କାମ କରୁଥିଲେ । ହେଲେ ଏତେ ଅଭାବ ଭିତରେ ମଧ୍ୟ ସେ ସ୍ୱପ୍ନ ଦେଖିବା ଛାଡିନଥିଲେ । ଲଗାତାର କଠିନ୍ ପରିଶ୍ରମ, ଆଉ ଅଦମ୍ୟ ଇଚ୍ଛା ଶକ୍ତି ଆଜି ତାଙ୍କୁ ଦେଇଛି ବଡ ସଫଳତା । ଚୀନରେ ଖେଳାଯାଉଥିବା ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲା ମଧୁପୁର ଗାଁରେ ରହୁଥିବା ଏହି ଖେଳାଳି ରାମ ବାବୁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାମ ବାବୁଙ୍କ ପରିବାର ଅତି ସାଧାରଣ । ତାଙ୍କ ବାପା ଏବେ ବି ବିଲରେ କାମ କରୁଥିବାବେଳେ, ରାମ ବାବୁ ମଧ୍ୟ ମନରେଗା ଯୋଜନାରେ ଶ୍ରମିକ ହେଇ କାମ କରନ୍ତି । ଏମିତି କି ପୁଅ ରାମ ବାବୁ ଯେତେବେଳେ ଚୀନରେ ମେଡାଲ ଜିତୁଥିଲେ, ସେତେବେଳେ ମଧ୍ୟ ତାଙ୍କ ବାପା ବିଲରେ କାମ କରୁଥିଲେ । ଆଉ ଯେତେବେଳେ ସେ ତାଙ୍କ ପୁଅର ଏତେ ବଡ ସଫଳତା ଜାଣିଥିଲେ, ସେତେବେଳେ ତାଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହେଇଯାଇଥିଲା ।

ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ନେଇଥିବା ରାମବାବୁ, ରିଲେ ରେସରେ ଭାରତର ପ୍ରତିନିଧିତ୍ୱ କରି ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଆଉ ଚୀନରେ ମେଡାଲ ଜିତିବା ପରେ ସେ କହିଛନ୍ତି, ମୋ ପିଲାଦିନ ବେଶ ସଂଘର୍ଷରେ କଟିଥିଲା । ମୁଁ ଅତ୍ୟନ୍ତ ପଛୁଆ ଅଞ୍ଚଳରୁ ଆସୁଛି । ତେଣୁ ମୋ ମାଙ୍କ ସ୍ୱପ୍ନ ଥିଲା, ମୁଁ କିଛି କରି ଦେଖାଏ । ଏ ସବୁକିଛି ମୋ ପରିବାର ପାଇଁ, ମୋ ଗାଁ ପାଇଁ ଗର୍ବର ବିଷୟ ଯେ, ମୁଁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଛି ।

ରାମବାବୁଙ୍କ ଏହି ଜବରଦସ୍ତ ବିଜୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମୋଦୀ ଲେଖିଛନ୍ତି, ୩୫ କିଲୋମିଟର ମିଶ୍ରିତ ରିଲେ ରେସରେ ବ୍ରୋଞ୍ଜ ମେଡାଲ ଜିତିଥିବା ରାମ ବାବୁ ଏବଂ ମଞ୍ଜୁ ରାନୀଙ୍କୁ ଶୁଭେଚ୍ଛା । ଦୁଇଜଣ ଆଥଲେଟ୍ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଅସୀମ ଧୈଯ୍ୟ ଏବଂ ଦୃଢ ସଙ୍କଳ୍ପ ବିନା ଏହା ସମ୍ଭବ ନୁହେଁ ବୋଲି ମୋଦୀ ଲେଖିଛନ୍ତି ।

ସେହିପରି ସୋସିଆଲ୍ ମିଡିଆରେ ଆଇଏଫଏସ୍ ଅଫିସର ପ୍ରବୀଣ କାସବାନ୍ ଏକ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ହେଉ ହେଉଛନ୍ତି ରାମ ବାବୁ, ଯିଏ କି ମନରେଗା ଶ୍ରମିକ ଭାବେ କରନ୍ତି । ସେ ଆଜି ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ତାଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।