କଂଗ୍ରେସ ୱାର୍କିଂ କମିଟି ବୈଠକରେ ମହାଭାରତ: ଅଡୁଆରେ ପଡିଲେ ଚିଠି ଲେଖିଥିବା କଂଗ୍ରେସ ନେତା; ବିଜେପି ସହ ମିଶି ଚିଠି ଲେଖିଥିବା ନେଇ ରାହୁଲଙ୍କ ବୟାନ ପରେ ଝଡ: ଆଉ ୬ ମାସ ଅନ୍ତରୀଣ ଅଧ୍ୟକ୍ଷ ରହିବେ ସୋନିଆ ଗାନ୍ଧୀ

170

କନକ ବ୍ୟୁରୋ: ଦୀର୍ଘ ସାତ ଘଂଟାର ଆଲୋଚନା ଏବଂ ବାଦ ବିବାଦ ପରେ ଶେଷରେ ଆଉ ୬ ମାସ ପାଇଁ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷ ରହିବାକୁ ସମ୍ମତି ହୋଇଛି । ଏହି ସମୟ ଭିତରେ ନୂଆ ଅଧ୍ୟକ୍ଷ ବାଛିବା ପାଇଁ ବିଚାରବିମର୍ଷ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଅଗଷ୍ଟ ୭ ତାରିଖରେ ଦଳର ୨୩ ଜଣ ନେତା ପୂର୍ଣ୍ଣକାଳୀନ ସଭାପତି ଦାବି କରି ଚିଠି ଲେଖିବା ଘଟଣାକୁ ନେଇ କଂଗ୍ରେସ ୱାର୍କିଂ କମିଟିର ବୈଠକ ଜୋରଦାର ଆଲୋଚନା ହୋଇଥିଲା । ୭ ଘଂଟା ଧରି ଚାଲିଥିବା ଏହି ମାରାଥନ ବୈଠକରେ ଦଳ ଏକପ୍ରକାର ଦୁଇ ଭାଗ ହୋଇଯାଇଥିଲା । ଚିଠି ଲେଖିଥିବା ନେତାଙ୍କୁ ଟାର୍ଗେଟ କରିଥିଲେ ଗାନ୍ଧୀ ପରିବାରର ଅନୁଗତମାନେ । ରାହୁଲ ଗାନ୍ଧୀ ମଧ୍ୟ କୁଆଡେ କହିଥିଲେ, ବିଜେପି ସହ ମିଶି ଏହି ଚିଠି ଲେଖାଯାଇଛି ।

ଏହି ବୟାନ ପରେ ବରିଷ୍ଠ ନେତା ଗୁଲାମନବୀ ଆଜାଦ୍ ଓ କପିଲ ଶିବଲ ଟ୍ୱିଟ୍ କରି ଏହାର ପ୍ରମାଣ ଦେବାକୁ ଆହ୍ୱାନ ଦେଇଥିଲେ । ବୈଠକ ଆରମ୍ଭରେ ସଭାନେତ୍ରୀ ସୋନିଆ ଗାନ୍ଧୀ କହିଥିଲେ ତାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ମୁକ୍ତ କରାଯାଉ । ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ଗୋଟେ ବର୍ଷ ବିତିଗଲାଣି, ତେଣୁ ତାଙ୍କୁ ୱାକିଂ କମିଟି ଦଳର ଭଲ ପାଇଁ ବିଚାରବିମର୍ଷ ଆରମ୍ଭ କରୁ, ଏବଂ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଉ । ସୋନିଆ ଗାନ୍ଧୀଙ୍କ ଏହି ପ୍ରସ୍ତାବ ପରେ ଦଳର ବରିଷ୍ଠ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ବରିଷ୍ଠ ନେତା ଏକେ ଆଂଟୋନି ସୋନିଆ ଗାନ୍ଧୀଙ୍କୁ ପଦରେ ରହିବା ପାଇଁ ଅନୁରୋଧ କରିଥିଲେ । ଏବଂ ଚିଠି ଲେଖିଥିବା ନେତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏକେ ଆଂଟୋନି କହିଥିଲେ, ଯଦି ସୋନିଆ ପଦବି ଛାଡିବେ ତେବେ ରାହୁଲ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିଅନ୍ତୁ ।

ବୈଠକରେ ରାହୁଲ ଗାନ୍ଧୀ ଚିଠି ଲେଖାଯିବାର ସମୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ସୋନିଆ ଗାନ୍ଧୀ ଯେତେବେଳେ ହସ୍ପିଟାଲରେ ଭର୍ତି ହୋଇଛନ୍ତି,, ସେଭଳି ସମୟରେ ଚିଠି କାହିଁକି ଲେଖାଗଲା? ଏହାଛଡା ରାହୁଲ କହିଥିଲେ ରାଜସ୍ଥାନର କଂଗ୍ରେସ ସରକାର ସଂକଟ ଦେଇ ଗତି କରୁଥିବାବେଳେ କାହିଁକି ଚିଠି ଲେଖାଯାଇଥିଲା? ଏପରିକି ବିଜେପି ସହ ମିଶି ଏପରି ଚିଠି ଲେଖାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ? ରାହୁଲଙ୍କ ବୟାନ ପରେ ବିଗିଡି ଯାଇଥିଲେ ଗୁଲାମ ନବୀନ ଆଜାଦ୍ । ସେ କହିଥିଲେ, ଯଦି କାହାସହ ମିଳିମିଶି ଏଭଳି କାର୍ଯ୍ୟ କରିଥିବା ପ୍ରମାଣିତ ହୋଇଯାଏ ତେବେ ସେ ଇସ୍ତଫା ଦେଇଦେବେ ।