ବଲିଉଡରେ ଡ୍ରଗ୍ସ କାରବାର ନେଇ ନିଶା ଛଡାଉଛି ଏନସିବି । ଅଭିନେତ୍ରୀ ରକୁଲପ୍ରିତ ସିଂ ଓ କରିଶ୍ମା ପ୍ରକାଶ ଜେରା । ଆସନ୍ତାକାଲି ଦୀପିକା, ସାରା ଅଲ୍ଲି ଓ ଶ୍ରଦ୍ଧା କାପୁରଙ୍କୁ ଏନସିବି କରିବ ପଚରାଉଚରା ।

364
କନକ ବ୍ୟୁରୋ: ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ମାମଲାରେ ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଦୀର୍ଘ ୪ ଘଂଟା ଧରି ଜେରା କରିଛି ଏନ୍ସିବି । ରିୟା ଚକ୍ରବର୍ତିଙ୍କୁ ଜେରା ବେଳେ ଡ୍ରଗ୍ସ କନେକ୍ସନରେ ସାମ୍ନାକୁ ଆସିଥିଲା ରକୁଲ ପ୍ରୀତ୍ ସିଂଙ୍କ ନାଁ । ଏହାପରେ ତାଙ୍କୁ ସମନ କରିଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଜି ରକୁଲପ୍ରୀତ ଏନସିବି ଗେଷ୍ଟ ହାଉସରେ ପହଁଚିବା ପରେ ତାଙ୍କୁ ପଚରାଉଚରା କରିଛନ୍ତି ଏନସିବି ଅଧିକାରୀ ।
ତେବେ ବଲିଉଡ୍ ଡ୍ରଗ୍ସ ଲିଙ୍କରେ ସେ କିପରି ସଂପୃକ୍ତ ହୋଇଥିଲେ । କାହା ଠାରୁ ଡ୍ରଗ୍ସ ପାଇଥିଲେ । କିଏ କିଏ ଏହା ପଛରେ ରହିଛନ୍ତି । ବଲିଉଡର କେଉଁ କେଉଁ କଳାକାର କିଂବା ଅନ୍ୟ ବ୍ୟକ୍ତି ଏଥିରେ ସଂପୃକ୍ତ । ଏହି ସମସ୍ତ ପ୍ରଶ୍ନର ଉତର ରକୁଲପ୍ରୀତଙ୍କ ଠାରୁ ଖୋଜିଥିଲେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ତେବେ ଜେରା ବେଳେ ରକୁଲ ପ୍ରୀତ ସିଂ ଡ୍ରଗ୍ସ କାରବାର ନେଇ କିଛି ତଥ୍ୟ ଦେଇଥିବା ସୂଚନା ମିଳିଛି ।
ଅନ୍ୟପଟେ  ୪ ଘଂଟା ଧରି ଜେରାର ସମ୍ମୁଖୀନ ହେବା ପରେ ରକୁଲ ପ୍ରୀତ୍ ତାଙ୍କ ବାସଭବନକୁ ଫେରିଥିବା ବେଳେ  ଏନସିବିରେ ହାଜର ହୋଇଥିଲେ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ । ତାଙ୍କୁ ପ୍ରାୟ ୬ ଘଂଟା ଧରି ଜେରା କରିଛନ୍ତି ଏନସିବିର ତଦନ୍ତକାରୀ ଅଧିକାରୀ । ୨୦୧୭ର ଏକ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଦୀପିକା ଓ କରିଶ୍ମା ପ୍ରକାଶଙ୍କ ମଧ୍ୟରେ ଡ୍ରଗ୍ସ ଚାଟ୍ କଥା ସାମ୍ନାକୁ ଆସିଥିଲା । ସେପଟେ ଏହି ଡ୍ରଗ୍ସ ମାମଲାରେ ଆସନ୍ତାକାଲି ଦୀପିକା ପାଦୁକୋନ, ସାରା ଅଲି ଖାନ୍ ଏବଂ ଶ୍ରଦ୍ଧା କପୁର ହଜାର ହେବେ । ବଲିଉଡ୍ର ଡ୍ରଗ୍ସ ଲିଙ୍କ୍ ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ୭ ଜଣଙ୍କୁ ସମନ୍ କରାଯାଇଛି ।