ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ମାମଲା: ରକୁଲପ୍ରୀତ ସିଂଙ୍କୁ ୪ ଘଂଟାରୁ ଅଧିକ ସମୟ ଧରି ଜେରା, ଏପଟେ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଏନସିବି ଅଧିକାରୀଙ୍କ ପଚରାଉଚରା ।

268

କନକ ବ୍ୟୁରୋ: ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ମାମଲା । ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଦୀର୍ଘ ୪ ଘଂଟା ଧରି ଜେରା କଲା ଏନସିବି । ରିୟା ଚକ୍ରବର୍ତିଙ୍କୁ ଜେରା ବେଳେ ଡ୍ରଗ୍ସ କନେକ୍ସନରେ ସାମ୍ନାକୁ ଆସିଥିଲା ରକୁଲ ପ୍ରୀତ୍ ସିଂଙ୍କ ନାଁ । ଏହାପରେ ତାଙ୍କୁ ସମନ କରିଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଜି ରକୁଲପ୍ରୀତ ଏନସିବି ଗେଷ୍ଟ ହାଉସରେ ପହଁଚିବା ପରେ ତାଙ୍କୁ ପଚରାଉଚରା କରିଛନ୍ତି ଏନସିବି ଅଧିକାରୀ । ତେବେ ବଲିଉଡ୍ ଡ୍ରଗ୍ସ ଲିଙ୍କରେ ସେ କିପରି ସଂପୃକ୍ତ ହୋଇଥିଲେ । କାହା ଠାରୁ ଡ୍ରଗ୍ସ ପାଇଥିଲେ । କିଏ କିଏ ଏହା ପଛରେ ରହିଛନ୍ତି । ବଲିଉଡର କେଉଁ କେଉଁ କଳାକାର କିଂବା ଅନ୍ୟ ବ୍ୟକ୍ତି ଏଥିରେ ସଂପୃକ୍ତ । ଏହି ସମସ୍ତ ପ୍ରଶ୍ନର ଉତର ରକୁଲପ୍ରୀତଙ୍କ ଠାରୁ ଖୋଜିଥିଲେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ।

ତେବେ ଜେରା ବେଳେ ରକୁଲ ପ୍ରୀତ ସିଂ ଡ୍ରଗ୍ସ କାରବାର ନେଇ କିଛି ତଥ୍ୟ ଦେଇଥିବା କୌଣସି ସୂତ୍ରରୁ ସୂଚନା ମିଳିଛି । ତେବେ ୪ ଘଂଟା ଧରି ଜେରାର ସମ୍ମୁଖୀନ ହେବା ପରେ ରକୁଲ ପ୍ରୀତ୍ ତାଙ୍କ ବାସଭବନକୁ ଫେରିଥିବା ବେଳେ ଏନସିବିରେ ହାଜର ହୋଇଛନ୍ତି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ । ବର୍ତମାନ ତାଙ୍କୁ ଜେରା କରୁଛନ୍ତି ଏନସିବିର ତଦନ୍ତକାରୀ ଅଧିକାରୀ ।

୨୦୧୭ର ଏକ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ଦୀପିକା ଓ କରିଶ୍ମା ପ୍ରକାଶଙ୍କ ମଧ୍ୟରେ ଡ୍ରଗ୍ସ ଚାଟ୍ କଥା ସାମ୍ନାକୁ ଆସିଥିଲା । ଏହି ଲିଙ୍କରେ ଆଜି କରିଶ୍ମା ପ୍ରକାଶ ହାଜର ହୋଇଛନ୍ତି । ଏହି ମାମଲାରେ ଆସନ୍ତାକାଲି ଏନ୍ସିବିରେ ହାଜର ହେବେ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଏହାସହ କାଲି ମୋଟ୍ ୩ ଜଣ ଅଭିନେତ୍ରୀ ଏନସିବିରେ ହାଜର ହେବେ । ଦୀପିକା ପାଦୁକୋନ, ସାରା ଅଲି ଖାନ୍ ଏବଂ ଶ୍ରଦ୍ଧା କପୁର ହଜାର ହେବେ । ବଲିଉଡ୍ର ଡ୍ରଗ୍ସ ଲିଙ୍କ୍ ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ୭ ଜଣଙ୍କୁ ସମନ୍ କରାଯାଇଛି ।