ଭୟ ବଢ଼ାଇଲା ମାଲକାନଗିରି ଭିଡିଓ : ଯୁବକଙ୍କୁ ଅପହରଣ କରି ଦଣ୍ଡ ଦିଆଯାଉଥିବା ଭିଡିଓ ଭାଇରାଲ୍ 

509

କନକ ବ୍ୟୁରୋ : ରାଜଧାନୀରେ ଆତଙ୍କ ଖେଳାଉଥିବା ରକ୍ତଚରିତ୍ର ଗ୍ୟାଙ୍ଗ ଭଳି ମାଲକାନଗିରି ଉପାନ୍ତ ଅଂଚଳରେ ଉତ୍ପାତ ମଚାଉଛନ୍ତି ନିଶାଖୋର ଗ୍ୟାଙ୍ଗ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ମାଲକାନାଗିରି ସହରର କିଛି ଅସାମାଜିକ ଯୁବକ ପରିତ୍ୟକ୍ତ ସ୍ଥାନକୁ ନିଜ ଆଡ଼ା ଭାବେ ବ୍ୟବହାର କରୁଛନ୍ତି । ଦିନ ରାତି ସେଠାରେ ମଦ ଓ ଗଂଜେଇ ସେବନ କରି ନିଶାଶକ୍ତ ଅବସ୍ଥାରେ ଅପରାଧ ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ନିକଟରେ ଭାଇରାଲ ହୋଇଛି ଏହାର ଏକ ଭିଡ଼ିଓ । ଭିଡ଼ିଓରେ ସେମାନେ ଜଣେ ଯୁବକଙ୍କୁ ଅପହରଣ କରି ନିଜ ଆଡ଼ାକୁ ଆଣିଛନ୍ତି । ଉକ୍ତ ଯୁବକ ଜଣଙ୍କ ଭୁଲ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଉଥିବା ପ୍ରକାଶ କରି ପିଟି ଚାଲିଛନ୍ତି । ୫ରୁ ଅଧିକ ଲୋକଙ୍କୁ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ଏହା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରାଯାଇ ତାକୁ ଭୁଲ ମାନବାକୁ ବାଧ୍ୟ କରାଯାଉଛି । ଜିଲ୍ଲା ସଦର ମହାକୁମା ଛାତି ଉପରେ ଏଭଳି ଘଟଣା ଆତଙ୍କ ଖେଳାଇ ଦେଇଛି ।

ତେବେ ଏହି ଗ୍ୟାଙ୍ଗର କାରନାମା ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି । ଯୁବକକୁ ଅପହରଣ କରିବା ପରେ ତାର ଦୋଷ ତାକୁ ଜଣାଇ ନିର୍ଦ୍ଧୁମ ପିଟିବା ପରେ ତାକୁ ତାର ଭୁଲ ବୁଝିଛି ନାହିଁ ବୋଲି ସମସ୍ତେ ଆହୁରି ପିଟୁଥିବା ଦେଖିବାକୁ ମିଳିଛି । ଏନେଇ ମାଲକାନଗିରି ପୁଲିସ ନିକଟରେ ସମସ୍ତ ଖବର ଥିବା ଜଣାପଡିଛି । ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କୁ ଏନେଇ ପଚାରିବାରୁ ସେ ଏନେଇ ଅବଗତ ଥିବା ସହ ଏହି ଭିଡିଓର ତଦନ୍ତ କରାଯିବା ସହ ଏହି ଯୁବକମାନଙ୍କୁ ଖୋଜାଯାଉଥିବା କହିଥିଲେ । ଏହି ଭିଡିଓ କେଉଁ ସମୟର ତାହାର ତଦନ୍ତ କରାଯାଉଛି ।

ମାଲକାନଗିରି ଜିଲ୍ଲା ଭଳି ଶାନ୍ତ ସରଳ ଜାଗାରେ ଏଭଳି ଉତ୍ପାତ କରାଯାଉଥିବା ସାଧାରଣରେ ମଧ୍ୟ ଅସଂତୋଷ ପ୍ରକାଶ ପାଇଛି । ଲୋକେ ନିଜର ସନ୍ତାନମାନଙ୍କୁକ ନେଇ ଭୟଭିତ ରହିଥିବା ଦେଖିବାକୁ ମିଳିଛି । କୌଣସି ମୁହର୍ତ୍ତରେ ଏହି ନିଶାସକ୍ତ ଯୁବକମାନେ ହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଆଲୋଚନା ହେଉଛି । ଜିଲ୍ଲାରେ ଗଂଜେଇ କାରବାର ଜୋରସୋରରେ ଚାଲିଥିବାରୁ ଯୁବଗୋଷ୍ଠୀ ଗଂଜେଇର ମୋହରେ ପଡି ସବୁ ହିତାହିତ ଜ୍ଞାନ ଭୁଲିଯାଉଥିବା ଲୋକେ କହିଛନ୍ତି । ଏନେଇ ପୁଲିସ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।