ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ରାକ୍ଷୀ ତିଆରି କରୁଛନ୍ତି ପାଟରା ସେବାୟତ

443

କନକ ବ୍ୟୁରୋ : ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି ଶ୍ରୀମନ୍ଦିରକୁ । ଶ୍ରୀମନ୍ଦିରର ପାଟରା ବିଶୋୟୀ ସେବାୟତ ଏବର୍ଷ ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ତିଆରି ଚାଲିଛି ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି, ରାକ୍ଷୀ ପୂର୍ଣ୍ଣିମା, ରେଖା ପଂଚମୀ ସମୟରେ ବାସୁଙ୍ଗା ପାଟର ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟ ଦିଆଯାଇଥାଏ । ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି ଗୁଆ ମାଳ ବି ତିଆରି କରିଥାନ୍ତି ।

ଗହ୍ମାପୂର୍ଣ୍ଣିମାରେ ଗୋପାଳବଲ୍ଲଭ ଧୂପ ପରେ ପାଟରା ବିଶୋଇ ମନ୍ଦିରକୁ ଯାଇ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି । ସିଂହାରି ସେବକ ଏହାକୁ ମହାପ୍ରଭୁଙ୍କ ଠାରେ ଲାଗି କରିଥାନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ମହାପ୍ରଭୁଙ୍କ ଏହି ନୀତି ଦେଖିବାରୁ ବଂଚିତ ରହିବେ ଭକ୍ତ । ଏଥର ବିନା ଭକ୍ତରେ ଶ୍ରୀମନ୍ଦିରରେ ଏହି ନୀତି ସଂପନ୍ନ କରାଯିବ ।