ଆଗକୁ ଆସୁଛି ରାକ୍ଷୀ ପୁନେଇ। କଟକର ସୋନିଶ୍ରୀ ବେହେରା ନିଜେ ରାକ୍ଷୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି।

123

କନକ ବ୍ୟୁରୋ: ରାକ୍ଷୀ.. ଭାଇ ଭଉଣୀର ସମ୍ପର୍କର ସାକ୍ଷୀ । ସ୍ନେହ, ଶ୍ରଦ୍ଧା ଓ ବନ୍ଧନର ପ୍ରତୀକ । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣମୀ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେବା ଆରମ୍ଭ ହୋଇଗଲାଣି । ତେବେ କଟକରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ହାତ ତିଆରି ରାକ୍ଷୀ । କଟକର ସୋନିଶ୍ରୀ ବେହେରା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ରାକ୍ଷୀ । ପାଠପଢା ସମୟରୁ ଏହି କାର୍ଯ୍ୟ ପ୍ରତି ଆକର୍ଷିତ ହୋଇ ୪ ବର୍ଷ ହେଲା ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଫଟୋ ରାକ୍ଷୀ, ରେଜିନ ରାକ୍ଷୀ, କୁନ୍ଦନ ରାକ୍ଷୀ, ନେମିଂ ରାକ୍ଷୀ, ମାଳି ଓ ଷ୍ଟୋନ ରାକ୍ଷୀ ତିଆରି କରୁଛନ୍ତି ସୋନିଶ୍ରୀ । କଟକ ଓ କଲିକତାରୁ ରାକ୍ଷୀରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଆଣି ଘରେ ତିଆରି କରୁଛନ୍ତି ।

ସୋନିଶ୍ରୀ କେବଳ ରାକ୍ଷୀ ତିଆରି କରୁଛନ୍ତି ତା ନୁହେଁ.. ରାକ୍ଷୀ ପୁନେଇରେ ଭଉଣୀକୁ ଦେବା ପାଇଁ ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ଗିଫ୍ଟ ଆଇଟମ୍ । ଫଟୋ ଏବଂ ଲାଇଟରେ ଝଲସୁଥିବା ମିନିଏଚର ଫ୍ରେମ, ଚକୋଲେଟ୍ ବକ୍ସ, ଏମ୍ରୋଡ଼ୋରୀ କାମ ଥିବା ଉପହାର ମଧ୍ୟ ପ୍ରସ୍ତୁତ କରୁଛନ୍ତି ସୋନିଶ୍ରୀ । ରାକ୍ଷୀର ଦାମ ୩୦ ଟଙ୍କାରୁ ଆରମ୍ଭ କରି ୧୩୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଗିଫ୍ଟ ଆଇଟମର ଦାମ ୩୫୦ ଟଙ୍କାରୁ ଆରମ୍ଭ କରି ୩ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ରାକ୍ଷୀ କିଣିବା ପାଇଁ ଫୋନ କରି ଲୋକେ ଅର୍ଡ଼ର ମଧ୍ୟ କରୁଛନ୍ତି । କଟକ ବ୍ୟତୀତ ବାଙ୍ଗାଲୋର, ଗୁଜୁରାଟ ଏବଂ ପଞ୍ଜାବରୁ ସୋନିଙ୍କ ପାଖକୁ ଅର୍ଡ଼ର ଆସୁଛି । ଅନଲାଇନରେ ଓଡ଼ିଶା ବାହାର ଲୋକେ ମଧ୍ୟ ତାଙ୍କ ଠାରୁ ରାକ୍ଷୀ କିଣୁଛନ୍ତି । ଏଥିପାଇଁ ତାଙ୍କ ବାପା ମା’ ତାଙ୍କୁ ସହଯୋଗ କରୁଛନ୍ତି ।