ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିବ ଭଉଣୀ; ସେପଟେ ଶ୍ରୀମନ୍ଦିରରେ ରୀତିନୀତିରେ ଅନୁଷ୍ଠିତ ହେବ ଗହ୍ମାପୂର୍ଣ୍ଣମୀ
କରୋନା କଟକଣା ଯୋଗୁଁ ଭକ୍ତ ଦେଖିପାରିବେନି ନୀତି
କନକ ବ୍ୟୁରୋ: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି ଶ୍ରୀମନ୍ଦିରକୁ । ଶ୍ରୀମନ୍ଦିରର ପାଟରା ବିଶୋୟୀ ସେବାୟତ ଏବର୍ଷ ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ତିଆରି ଚାଲିଛି ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାକ୍ଷୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି, ରାକ୍ଷୀ ପୂର୍ଣ୍ଣିମା, ରେଖା ପଂଚମୀ ସମୟରେ ବାସୁଙ୍ଗା ପାଟର ସାମଗ୍ରୀ ତିଆରି କରିବାକୁ ୧୫ କେଜି ବାସୁଙ୍ଗା ପାଟ ଦିଆଯାଇଥାଏ । ମହାପ୍ରଭୁଙ୍କ ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆ ଦେଇ ୪ଟି ଗୁଆ ମାଳ ବି ତିଆରି କରିଥାନ୍ତି । ଗହ୍ମାପୂର୍ଣ୍ଣିମାରେ ଗୋପାଳବଲ୍ଲଭ ଧୂପ ପରେ ପାଟରା ବିଶୋଇ ମନ୍ଦିରକୁ ଯାଇ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି । ସିଂହାରି ସେବକ ଏହାକୁ ମହାପ୍ରଭୁଙ୍କ ଠାରେ ଲାଗି କରିଥାନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ମହାପ୍ରଭୁଙ୍କ ଏହି ନୀତି ଦେଖିବାରୁ ବଂଚିତ ରହିବେ ଭକ୍ତ । ଏଥର ବିନା ଭକ୍ତରେ ଶ୍ରୀମନ୍ଦିରରେ ଏହି ନୀତି ସଂପନ୍ନ କରାଯିବ ।