ଦେଶ ପାଳୁଛି ସ୍ନେହଭରା ସମ୍ପର୍କର ପର୍ବ । ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ପ୍ରତୀକ ହେଉଛି ରାକ୍ଷୀ । ଆପଣଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଅଭିନନ୍ଦନ ।

256

କନକ ବ୍ୟୁରୋ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ରାକ୍ଷୀ । ହସଖୁସି ଏବଂ ଆନନ୍ଦ ଉଲ୍ଲାସରେ ସାରା ଦେଶ ପାଳନ କରୁଛି ରାକ୍ଷୀ ପୂର୍ଣ୍ଣିମା । ସଂସାରର ସବୁଠାରୁ ସ୍ନେହଭରା ସମ୍ପର୍କ ହେଉଛି ଭାଇ-ଭଉଣୀର ସମ୍ପର୍କ । ଏହା ଏମିତି ଏକ ନିଆରା ସମ୍ପର୍କ, ଯାହା ଭିତରେ ରହିଥାଏ, ରାଗ-ରୁଷା, କଳି-ଝଗଡା, ସ୍ନେହ-ଶ୍ରଦ୍ଧା ।

ଭଉଣୀର ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧି ଦେଇଥାଏ ଏହି ସମ୍ପର୍କର ଡୋର । ଆଜି ଏହି ଡୋରିରେ ସାରା ଦେଶ ବାନ୍ଧି ହୋଇଯାଇଛି । ଏହି ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳନ ହୋଇ ଆସୁଛି । ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଲେ ଭଉଣୀର ସବୁ ଦୁଃଖ ବିପଦରେ ଭାଇ ସାହା ହେବ ବୋଲି ସେ ଆଶା ରଖିଥାଏ । ଆଉ ଭାଇଟିଏ ମଧ୍ୟ ସେହି ଦିନ ପ୍ରତିଜ୍ଞାବଦ୍ଧ ହୁଏ, ଭଉଣୀକୁ ସୁରକ୍ଷା ଦେବା ପାଇଁ ।

ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସମ୍ପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି ଶ୍ରୀମନ୍ଦିରକୁ । ଗୋପାଳବଲ୍ଲଭ ଧୂପ ପରେ ପାଟରା ବିଶୋଇ ମନ୍ଦିରକୁ ଯାଇ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି । ସିଂହାରି ସେବକ ଏହାକୁ ମହାପ୍ରଭୁଙ୍କ ଠାରେ ଲାଗି କରିଥାନ୍ତି ।

ଭାଇ ହାତରେ ସମ୍ପର୍କର ଡୋରି ବାନ୍ଧି ଶୁଭ ମନାସୁୁଛନ୍ତି ଭଉଣୀ । ଆଜିର ଏହି ପବିତ୍ର ଦିନଟିକୁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରୁଛି ପୂରା ଦେଶ । ଆପଣମାନଙ୍କୁ ମଧ୍ୟ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ଜଣାଉଛି କନକ ନ୍ୟୁଜ ।