କନକ ବ୍ୟୁରୋ : ଆଗକୁ ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ଭଉଣୀ ବାନ୍ଧିବ ସମ୍ପର୍କର ଡ଼ୋରୀ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେବା ଆରମ୍ଭ ହେଲାଣି । ତେବେ ମିନି କଲିକତା ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବଜାରରେ ବେଶ ଜମିଲାଣି ରାକ୍ଷୀ ବେପାର । ଚଳଚଂଚଳ ହେଲାଣି ଜଟଣୀର ହୋଲସେଲ ରାକ୍ଷୀ ବଜାର । ଗ୍ରାହକଙ୍କ ପସନ୍ଦ ଅନୁସାରେ ଚଳିତ ବର୍ଷ ଷ୍ଟୋନ ରାକ୍ଷୀ, ଜଗନ୍ନାଥ ରାକ୍ଷୀ, ଟେଡ଼ି ରାକ୍ଷୀ, ଧାନ ଓ ଚାଉଳରେ ପ୍ରସ୍ତୁତ ରାକ୍ଷୀ, ବ୍ରେସଲେଟ ରାକ୍ଷୀ ଭଳି ବିଭିନ୍ନ ପ୍ରକାରର ରାକ୍ଷୀ ସଜାଇ ରଖିଛନ୍ତି ବ୍ୟବସାୟୀ ।
ରାକ୍ଷୀକୁ ନେଇ ଅନେକ କାହାଣୀ ଓ ଚଳଚିତ୍ର ମଧ୍ୟ ହୋଇଛି । ଅନେକ ବାର୍ତା ମଧ୍ୟ ଦେଇଛି ଏହି ରାକ୍ଷୀ । ସୀମାନ୍ତରେ ହେଉ ଅବା ବିଦେଶରେ ଭଉଣୀ ହାତର ରାକ୍ଷୀ ବାନ୍ଧିବା ପାଇଁ ଚାହିଁ ବସିଥାଏ ଭାଇ । ତେଣୁ ଏବେଠୁ ଦୂରରେ ରହୁଥିବା ଭାଇ ମାନଙ୍କ ପାଇଁ ଡାକ ଯୋଗେ ହେଉ ଅବା କୋରିଅରରେ ଭଉଣୀ ରାକ୍ଷୀ ପଠାଇବା ଆରମ୍ଭ କଲେଣି । ତେଣୁ ବ୍ୟବସାୟ ମଧ୍ୟ ଧିରେ ଧିରେ ବଢ଼ିଲାଣି । ଜଟଣୀର ଏହି ରାକ୍ଷୀ ବଜାରରୁ ରଜ୍ୟର ଅଧିକାଂଶ ପ୍ରାନ୍ତରୁ ଖୁଚୁରା ବ୍ୟବସାୟୀ ମାନେ ରାକ୍ଷୀ କିଣି ବ୍ୟବସାୟ କରନ୍ତି । ବିଭିନ୍ନ ଭେରାଇଟର ରାକ୍ଷୀ ଏଠାରେ ସୁଲଭ ମୂଲ୍ୟରେ ମିଳିଥାଏ ବୋଲି ସେମାନେ କୁହନ୍ତି ।
ବିଶେଷକରି ପୁରୀ, ଖୋର୍ଦ୍ଧ, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼ ଭଳି ଅନେକ ସ୍ଥାନରୁ ଗ୍ରାହକ ମାନେ ଆସି ଏଠାରୁ ରାକ୍ଷୀ କିଣିନିଅନ୍ତି । ଚଳିତ ବର୍ଷ ବଜାର ଚାହିଦା ଭଲ ଥିବାରୁ ଭଲ ବ୍ୟବସାୟର ଆଶା ରଖିଛନ୍ତି ଉଭୟ ଖୁଚୁରା ଓ ହୋଲସେଲ ବ୍ୟବସାୟୀ ।