ପ୍ରଜାକୋର୍ଟ ପରେ ରାକେଶ୍ୱରଙ୍କୁ ଛାଡିଥିଲେ ମାଓବାଦୀ । ସାମ୍ନାକୁ ଆସିଲା ପ୍ରଜାମେଳିର ଚିତ୍ର । 

508

କନକ ବ୍ୟୁରୋ: କୋବ୍ରା ଯବାନ ରାକେଶ୍ୱର ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ଏବେ କିଛି ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ମାଓବାଦୀମାନେ ରାକେଶ୍ୱରଙ୍କୁ ନେଇ ପ୍ରଜାମେଳି କରିଥିବା ଦେଖିବାକୁ ମିଳିଛି । ଏହି ପ୍ରଜାମେଳିରେ ମାଓବାଦୀମାନେ ରାକେଶ୍ୱରଙ୍କୁ ନେଇ ଚର୍ଚ୍ଚା କରିବା ସହିତ ଶେଷରେ ତାଙ୍କୁ ଛାଡିବା ନେଇ ନିଷ୍ପତ୍ତି ହୋଇଥିଲା ବୋଲି ଖବର ମିଳିଛି । ଅନ୍ୟପଟେ ପ୍ରଜାମେଳି ସମୟରେ ରାକେଶ୍ୱରଙ୍କ ହାତକୁ ମାଓବାଦୀମାନେ ବାନ୍ଧିବା ସହିତ ସେଠାରେ ଶତାଧିକ ଗାଁ ଲୋକ ଉପସ୍ଥିତ ରହିଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ରାକେଶ୍ୱର ଆଜି ମାଓ କବଳରୁ ମୁକ୍ତ ହେବା ପରେ ତାଙ୍କ ପରିବାରରୁ ଖୁସିର ମାହୋଲ ଖେଳିଯାଇଛି । ତାଙ୍କ ସାଥୀ ଯବାନମାନଙ୍କ ମଧ୍ୟରେ ମଧ୍ୟ ଖୁସିର ଲହରି ଖେଳିଯାଇଛି । ଏବେ ରାକେଶ୍ୱରଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଥିବା ଖବର ରହିଛି ।

ସୂଚନାଯୋଗ୍ୟ ଯେ, ମାଓବାଦୀଙ୍କ କବଳରେ ୫ଦିନ ରହିବା ପରେ ଶେଷରେ ଫେରିଛନ୍ତି ଅପହୃତ କୋବ୍ରା ବାହିନୀର କମାଣ୍ଡୋ ଯବାନ ରାକେଶ୍ୱର ସିଂହ ମନହାସ । ଯେଉଁ ସମୟକୁ ରାକେଶ୍ୱରଙ୍କ ପରିବାର ସଦସ୍ୟ ଓ ସାଥୀ ଯବାନ ଅପେକ୍ଷା କରିରହିଥିଲେ, ସାରା ଦେଶ ଅପେକ୍ଷା କରିରହିଥିଲା ସେହି ସମୟ ଆସି ପହଂଚଛି । ଆଜି ଛତିଶଗଡର ବାସାଗୁଡା ଥାନା ନିକଟରେ ଆସି ପହଂଚିଥିଲେ ଯବାନ ରାକେଶ୍ୱର ସିଂହ ମନହାସ । ଏକ ଆମ୍ବୁଲାନ୍ସ ଗାଡି ମଧ୍ୟରେ ଫେରିଥିଲେ ରାକେଶ୍ୱର ସିଂହ ମନହାସ । ରାକେଶ୍ୱର ପହଂଚିବାପରେ ହାତରେ ଭିକ୍ଟ୍ରିର ଚିହ୍ନ ଦେଖାଇଥିଲେ ।

ଗତକାଲି ମାଓବାଦୀଙ୍କ କବଜାରେ ଥିବା ସମୟର ଏକ ଫଟୋ ସାମନାକୁ ଆସିଥିଲା । ଏହି ଫଟୋରୁ ଜଣାପଡୁଥିଲା କିପରି ଅବସ୍ଥାରେ ମାଓବାଦୀଙ୍କ କବଳରେ ଅଛନ୍ତି ରାକେଶ୍ୱର । ଫଟୋ ବେଶ ସୁସ୍ଥ ଏବଂ ସୁରକ୍ଷିତ ଥିବା ଜଣାପଡୁଥିଲା ଏହି ଫଟୋରୁ । ମାଓବାଦୀମାନେ କହିଥିଲେ ରାକେଶ୍ୱରଙ୍କୁ ମୁକୁଳେଇବାକୁ ହେଲେ ମଧ୍ୟସ୍ଥିଙ୍କୁ ନିୟୋଜନ କରିବାକୁ ପଡିବ । ଆଉ ସେୟା ହିଁ ହୋଇଥିଲା । ସ୍ଥାନୀୟ ୭ଜଣ ସାମ୍ବାଦିକ ଏବଂ କିଛି ସମାଜସେବୀ ମିଳିତ ଭାବେ ଯାଇଥିଲେ । ଜଣେ ,ସାମ୍ବାଦିକଙ୍କ ସହିତ ମାଓବାଦୀମାନେ କ୍ରମାଗତ ଭାବେ କଥା ହେଉଥିଲେ । ଆଲୋଚନା ଅନୁସାରେ ସାମ୍ବାଦିକମାନେ ଜଙ୍ଗଲ ଭିତରେ ମାଓବାଦୀଙ୍କ ପାଖରେ ପହଂଚି ସେଠାରୁ ଯବାନ ରାକେଶ୍ୱର ସିଂହଙ୍କୁ ମୁକୁଳାଇ ଆଣିଥିଲେ ।