କନକ ବ୍ୟୁରୋ : ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ମାଟି ମାଆ ପାଇଁ ଲଢି ସହିଦ୍ ହୋଇଗଲେ ଯବାନ । କିଏ ବାପାକୁ ହରାଇଲା, କିଏ ପୁଅକୁ ହରାଇଲା । ଆଉ କିଏ ଭାଇକୁ ହରାଇ ସ୍ତବ୍ଧ ହୋଇଯାଇଛି । ତ ପୁଣି କାହାର ମଥାରୁ ସିନ୍ଦୁର ଲିଭାଇଛନ୍ତି ନରହନ୍ତା ନକ୍ସଲ । ଚୁରମାର ହୋଇଯାଇଛି ସୁନାର ସଂସାର । ଆଉ ଏବେ ମାଓବାଦୀଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମନହସ । ନିଖୋଜ ଯବାନଙ୍କୁ କବଜାରେ ରଖିଥିବା ନେଇ ମାଓ ସଂଗଠନ ସୂଚନା ଦେଇଛି ।୩ ଦିନ ଧରି ଯବାନଙ୍କୁ ମାଓବାଦୀ ବନ୍ଦୀ କରି ରଖିଛନ୍ତି ।
୨୧୦ କୋବ୍ରା ବାଟାଲିୟନର ଯବାନ ରାକେଶ୍ୱର ସିଂ ମନହସ ସୁରକ୍ଷିତ ଥିବା ମାଓ ସଂଗଠନ କହିଥିବାବେଳେ ଏବେ ରାକେଶ୍ୱରଙ୍କ ଝିଅ ‘ମୋ ବାବାଙ୍କୁ ଛାଡ଼ିଦିଅ’ ବୋଲି ଆକୁଳ ନିବେଦନ କରିଛି । ଅନ୍ୟପଟେ ସ୍ୱାମୀଙ୍କୁ ଛାଡ଼ିଦେବା ପାଇଁ ମଧ୍ୟ ରାକେଶ୍ୱରଙ୍କ ପତ୍ନୀ ନିବେଦନ କରିଛନ୍ତି । ଏପରିକି ଅଭିନନ୍ଦନଙ୍କୁ ଯେପରି ପାକିସ୍ତାନରୁ ଫେରାଇ ଆଣିଥିଲ ମୋ ସ୍ୱାମୀଙ୍କୁ ମଧ୍ୟ ଫେରାଇ ଆଣ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ କରିଛନ୍ତି । ନିଖୋଜ ଡିଆରଜି ଯବାନ ରାକେଶ୍ବର ସିଂ ମନହାସ ଦୁର୍ଦାନ୍ତ ମାଓ କମାଣ୍ଡର ହିଡମା ନିକଟରେ ବନ୍ଦୀ ହୋଇ ରହିଛି।
ନିଜ ପାଖରେ ଯବାନ ରହିଥିବା ସାମ୍ବାଦିକଙ୍କୁ ଫୋନରେ ଜଣାଇଛନ୍ତି ନକ୍ସଲ । ଆଉ ଉଚିତ୍ ସମୟରେ ଛାଡି ଦିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ଆମେ ମିଳିତ ଭାବେ ଲଢିବୁ ଓ ନକ୍ସଲଙ୍କୁ ନିପାତ କରିବୁ ।