ମାଓବାଦୀଙ୍କ କବଜାରୁ ମୁକୁଳିଲେ ରାକେଶ୍ୱର । ଚାରିଆଡେ ଦେଖିବାକୁ ମିଳିଲା ଖୁସିର ମାହୋଲ । ସ୍ତ୍ରୀ, ପତ୍ନୀ କହିଲେ ତାଙ୍କ ପାଇଁ ଆଜି ଖୁସିର ଦିନ…

254

କନକ ବ୍ୟୁରୋ: ମାଓବାଦୀଙ୍କ କବଜାରୁ ଅପହୃତ ଯବାନ ରାକେଶ୍ୱର ମୁକ୍ତ ହେବା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଖାଲି ପରିବାର ନୁହେଁ, ରାକେଶ୍ୱରଙ୍କ ସାଥୀ ଯବାନ ମଧ୍ୟ ତାଙ୍କର ମୁକ୍ତି ପରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏପଟେ ରାକେଶ୍ୱରଙ୍କ ପତ୍ନୀ କହିଛନ୍ତି କି, ,ସେ ଖୁସିରେ ବିଭୋର ହୋଇଯାଇଛନ୍ତି । ସେ ହିମ୍ମତ ହରାଇନଥିଲେ । ତାଙ୍କ ସ୍ୱାମୀ ଫେରିବେ ବୋଲି ତାଙ୍କର ବିଶ୍ୱାସ ଥିଲା । ସରକାର କିଛି କହୁନଥିଲେ ବି ତାଙ୍କ କାମ କରି ଦେଖାଇଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ରାକେଶ୍ୱରଙ୍କ ଝିଅ ମଧ୍ୟ ତାଙ୍କ ବାପା ଆସିଲେ କୁଣ୍ଢାଇ ପକାଇ ସ୍ୱାଗତ କରିବେ ବୋଲି କହିଛନ୍ତି ।

ନକ୍ସଲ କ୍ୟାମ୍ପରୁ ଫେରିବା ପରେ ରାକେଶ୍ୱରଙ୍କର ଏବେ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଉଛି । ତେବେ ନକ୍ସଲମାନେ ପ୍ରଜାମେଳି କରିବା ପରେ ବିନା କୌଣସି ସର୍ତ୍ତରେ ଯବାନ ରାକେଶ୍ୱରଙ୍କୁ ଛାଡି ଦେଇଥିବା ଜଣାପଡିଛି । ସେ ସମୟର କିଛି ଫଟୋ ମଧ୍ୟ ଏବେ ଗଣମାଧ୍ୟମର ହସ୍ତଗତ ହୋଇଛି ।

ସୂଚନାଯୋଗ୍ୟ ଯେ, ବିଜାପୁରରେ ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ ତାରିଖରୁ ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂହ ମନହାସ ଆଜି ମାଓବାଦୀଙ୍କ କବଳରୁ ମୁକୁଳିଛନ୍ତି । ଗତ ଏପ୍ରିଲ ୩ ତାରିଖରେ ଛତିଶଗଡର ବିଜାପୁର ଅଂଚଳରେ ସୁରକ୍ଷାକର୍ମୀ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ  । ଏଥିରେ ଦୁଇ ପଟରୁ ଜୋରଦାର ଗୁଳି ବର୍ଷା ହୋଇଥିଲା । ଏଥିରେ ୨୨ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ହେଲେ ଏହା ପରଠାରୁ କୋବ୍ରା ଯବାନ ରାକେଶ୍ୱର ନିଖୋଜ ଥିଲେ । ଏହାପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଅପହୃତ କରିନେଇଥିବା ନେଇ ଖବର ଆସିଥିଲା । ଗତକାଲି ମାଓବାଦୀମାନେ ଅପହୃତ ଯବାନଙ୍କ ଏକ ଫଟୋ ଜାରି କରିବା ସହିତ ସେ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ । ହେଲେ ସରକାରଙ୍କୁ ଆଲୋଚନା ପାଇଁ ମଧ୍ୟସ୍ଥି ଚୟନ କରିବାକୁ ମାଓବାଦୀମାନେ ଦାବି କରିଥିଲେ । ଏବେ ଯବାନଙ୍କୁ ମାଓବାଦୀମାନେ ଛାଡିଦେଇଛନ୍ତି ।