କୃଷକ ନେତା ରାକେଶ ଟିକାୟତଙ୍କ ଗାଡି ଉପରେ ଆକ୍ରମଣ ଘଟଣା । ଏବିଭିପି ନେତାଙ୍କ ସମେତ ୧୬ ଗିରଫ । ବିଜେପି କହିଲା ପୋଲିସ ଉପସ୍ଥିତିରେ କେମିତି ହେଲା ଆକ୍ରମଣ

132

କନକ ବ୍ୟୁରୋ : ଶୁକ୍ରବାର ଦିନ ରାଜସ୍ଥାନର ଅଲବର ଜିଲ୍ଲା ତାତରପୁର ଠାରେ କୃଷକ ନେତା ରାକେଶ ଟିକାୟତଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣରେ ପୋଲିସ ଏବିଭିପି ନେତାଙ୍କ ସହ ୧୬ ଜଣଙ୍କୁ ଗିରଫ୍ କରିଛି । ଶୁକ୍ରବାର ଦିନ ତାତରପୁର ଠାରେ ଏକ ଗାଡିରେ ଟିକାୟତ ଯାଉଥିବା ବେଳେ ସ୍ୱାଗତ କରିବା ବାହାନାରେ କିଛି ଲୋକ ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିଥିଲେ । ଏଥିରେ ଟିକାୟତଙ୍କ ଗାଡି ଭାଙ୍ଗିଯାଇଛି । ଆକ୍ରମଣକାରୀମାନେ ଟିକାୟତଙ୍କ ଉପରେ କାଳି ପକାଇଥିଲେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଏବିଭିପି ନେତାଙ୍କ ସମେତ ୧୬ ଜଣଙ୍କୁ ଗିରଫ୍ କରିଛି ।

ଟିକାୟତଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ରାଜନୀତି ସରଗରମ ହେବାରରେ ଲାଗିଛି । ଏହି ଆକ୍ରମଣ ପଛରେ ବିଜେପିର ହାତ ଅଛି ଓ ବିଜେପିର ଏହା ପ୍ରାୟୋଜିତ କାର୍ଯ୍ୟ ବୋଲି ରାକେଶ ଟିକାୟତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏବିଭିପି ନେତା କୁଲଦୀପ ସିଂ ଯାଦବଙ୍କ ସହ ୧୬ ଜଣଙ୍କୁ ଗିରଫ୍ କରାଯାଇଛି । ଏପଟେ ବିଜେପି କହିଛି କି ପୋଲିସ ଉପସ୍ଥିତିରେ କିଭଳି ଆକ୍ରମଣ କରାଗଲା । ଏନେଇ ଯାଂଚ ର ଆବଶ୍ୟକତା ରହିଛି ।