ଏବେ ବି ଆନ୍ଦୋଳନରୁ ହଟିବୁନି, ଯେତେବେଳ ଯାଏଁ ସରକାର… । କଣ କହିଲେ ଟିକାୟତ?

371

କନକ ବ୍ୟୁରୋ : ପ୍ରତ୍ୟାହାର ହେଲା ୩ ନୂଆ କୃଷି ଆଇନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଘୋଷଣା କରିଛନ୍ତି । ଆନ୍ଦୋଳନରତ କୃଷକଙ୍କୁ ଘରକୁ ଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରାଯିବ । ମୋଦି କହିଛନ୍ତି, କୃଷିରେ ସୁଧାର ଆଣିବା ପାଇଁ ସରକାର ତିନିଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା । ନୂଆ ଆଇନ ପାଇଁ ଦୀର୍ଘ ବର୍ଷ ଧରି କୃଷକ, ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ ଦାବି ହୋଇ ଆସୁଥିଲା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା । ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ । ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ ।

ସରକାର କୃଷି ଆଇନରେ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏହା ସତ୍ୱେ ସେମାନଙ୍କୁ ବୁଝାଯାଇ ପାରିନଥିଲା ନାହିଁ । ତେଣୁ କୃଷକଙ୍କ ସ୍ୱାର୍ଥ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଥିବା ମୋଦି ଘୋଷଣା କରିଛନ୍ତି । ଅନ୍ୟପଟେ କୃଷି ଆନ୍ଦୋଳନର ମଙ୍ଗ ଧରିଥିବା ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଆମେ ସଙ୍ଗେ ସଙ୍ଗେ ଆନ୍ଦୋଳନରୁ ହଟିବୁ ନାହିଁ । ସଂସଦରେ ଯେବେ ଏହି କୃଷି ଆଇନକୁ ବିଧିବଦ୍ଧ ଭାବେ ରଦ୍ଦ କରାଯିବ ସେତେବେଳେ ଏହି ଆନ୍ଦୋଳନରୁ ହଟିବୁ । ଏହାଛଡା ସରକାର ଏମଏସପି ସହ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଚାଷୀଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି ।