କେନ୍ଦ୍ର ସରକାରଙ୍କୁ ଟିକାୟତଙ୍କ ଟାର୍ଗେଟ । କହିଲେ, ସିଂଘୁ ବର୍ଡରରେ ଯୁବକଙ୍କ ହତ୍ୟାକାଣ୍ଡ ପଛରେ ରହିଛି ସରକାରଙ୍କ ଷଡଯନ୍ତ୍ର ।

100

କନକ ବ୍ୟୁରୋ : ସିଂଘୁ ବର୍ଡରରେ ଯୁବକଙ୍କ ନିର୍ମମ ହତ୍ୟାକୁ ନେଇ କୃଷକ ନେତା ରାକେଶ ଟିକାୟତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ କେନ୍ଦ୍ର ସରକାରଙ୍କର ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ରାକେଶ । ତେବେ ପୂରା ଘଟଣାକୁ ରାକେଶ ନିନ୍ଦା କରିଥିବା ବେଳେ ଏଭଳି ଘଟଣା ଆଦୌ ଗ୍ରହଣୀୟ ବୋଲି ରାକେଶ କହିଛନ୍ତି । ଏଭଳି ଘଟଣାକୁ ଚାଷୀ ସଙ୍ଗଠନ କେବେ ସମର୍ଥନ କରେ ନାହିଁ ।

ସିଂଘୁ ବର୍ଡରରେ ଯୁବକଙ୍କ ହତ୍ୟାକାଣ୍ଡ ଦର୍ଶାଉଛି ଯେ ଏହା ପଛରେ ଭାରତ ସରକାରଙ୍କ ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ଟିକାୟତ । ସରକାର ଲୋକଙ୍କ ମଧ୍ୟରେ ଲଢେଇ କରିବାକୁ ଚାହୁଁଛନ୍ତି । ବର୍ଡରରେ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ବେଶ ବଦଳାଇ ଚାଷୀଙ୍କ ଭିତରେ ରହୁଛନ୍ତି । କିନ୍ତୁ ସେମାନଙ୍କ ରହିବା ସତ୍ତେ୍ୱ ମଧ୍ୟ କିଭଳି ଏଭଳି ହତ୍ୟାକାଣ୍ଡ ହୋଇପାରିଲା ବୋଲି ପ୍ରଶ୍ନ କରିଛନ୍ତି ରାକେଶ । ତେଣୁ ଏଭଳି ହତ୍ୟାକାଣ୍ଡ ପଛରେ କେଉଁଠି ନା କେଉଁଠି ଭାରତ ସରକାରଙ୍କ ହାତ ରହିଛି ବୋଲି କହିଛନ୍ତି ଟିକାୟତ । ଗତ ୫ ମାସ ତଳେ ସରକାର ଆନ୍ଦୋଳନ ଶେଷ କରିବାକୁ ଚାହୁଁଥିବା କୁହାଯାଉଥିଲା । ଆଉ ଏବେ ସରକାର ଏଭଳି ଷଡଯନ୍ତ୍ର କରୁଛନ୍ତି ଯାହାଦ୍ୱାରା ଆନ୍ଦୋଳନ ଶେଷ ହୋଇଯିବ । ଏଭଳି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଟିକାୟତ ।

ଏହାଛଡା ଏହି ହତ୍ୟାକାଣ୍ଡ ପଛରେ ଧାର୍ମିକ ଓ ବ୍ୟକ୍ତିଗତ ମାମଲା ରହିଛି ବୋଲି କହିଛନ୍ତି ଟିକାୟତ । ତେଣୁ ଚାଷୀ ଆନ୍ଦୋଳନ ସହ ଏହି ହତ୍ୟାକାଣ୍ଡକୁ ଭାରତ ସରକାର ନ ଯୋଡନ୍ତୁ ବୋଲି କହିଛନ୍ତି ଟିକାୟତ । ନିହଙ୍ଗ ସମ୍ପ୍ରଦାୟର ଲୋକଙ୍କୁ ଆନ୍ଦୋଳନରୁ ଦୂରେଇ ରଖାଯାଇଛି । ଯେତେବେଳେ ତାଙ୍କର ଆବଶ୍ୟକତା ପଡିବ ଡକାଯିବ ବୋଲି କହିଛନ୍ତି ଟିକାୟତ । ଏହାବ୍ୟତୀତ ଲଖିମପୁରରେ ଚାଷୀଙ୍କୁ ଗାଡି ଚଢାଇ ହତ୍ୟା କରିବା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି ଜାରି ରହିବ , ଯେତେବେଳ ଯାଏଁ ସେ ଇସ୍ତଫା ଦେଇନାହାନ୍ତି ସେତେବେଳ ଯାଏଁ ଏହି ଦାବି କରିବୁ ବୋଲି କହିଛନ୍ତି ଟିକାୟତ । କାରଣ ଅଜୟ ମିଶ୍ରା ମନ୍ତ୍ରୀ ରହିଲେ ଯାଞ୍ଚ ପ୍ରକ୍ରିୟାରେ କୌଣସି ନିରପେକ୍ଷତା ରହିବ ନାହିଁ, ଅଭିଯୁକ୍ତଙ୍କୁ ଭିଆଇପି ସୁବିଧା ମିଳିବ । ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବିଦା କରାଯାଉ ବୋଲି କହିଛନ୍ତି ଟିକାୟତ ।