ରାକେଶ ଟିକାୟତଙ୍କ ଖୋଲା ଚେତାବନୀ । ଚାଷୀମାନଙ୍କୁ ଜୋର୍ ଜବରଦସ୍ତ ବର୍ଡରରୁ ହଟାଇଲେ, ସରକାରୀ ଅଫିସକୁ ମଣ୍ଡିରେ ବଦଳାଇଦେବୁ ।

102

କନକ ବ୍ୟୁରୋ: ଗାଜିପୁର ଓ ଟିକରୀ ବର୍ଡରରୁ ପୋଲିସର ବ୍ୟାରିକେଡ୍ ହଟିବା ପରେ ଏହାକୁ ନେଇ ବଡ ବୟାନ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଯଦି ଚାଷୀମାନଙ୍କୁ ଜୋର ଜବରଦସ୍ତ କେଉଁ ସ୍ଥାନକୁ ହଟାଯାଏ ତେବେ ସେମାନେ ସରକାରୀ କାର୍ଯ୍ୟାଳୟକୁ ହିଁ ମଣ୍ଡିରେ ବଦଳାଇ ଦେବେ ବୋଲି କହିଛନ୍ତି ଏହି ଚାଷୀ ନେତା । ତେବେ ନେତା ତଥା ପୋଲିସ ପ୍ରଶାସନକୁ ରାକେଶ ଟିକାୟତ ଏହି ଖୋଲା ଚେତାବନୀ ଦେଇଛନ୍ତି ।

ଦିଲ୍ଲୀ ପୋଲିସ ଗୁରୁବାର ରାତିରେ ଗାଜିପୁର ଓ ଟିକରୀ ବର୍ଡରରୁ ବ୍ୟାରିକେଡ୍ ହଟାଇବା ଆରମ୍ଭ କରିଛି । ଯେଉଁଠି ଚାଷୀମାନେ ଲମ୍ବା ସମୟ ଧରି ତିନି କୃଷି ଆଇନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହା ଫଳରେ ଗତ ୧୧ ମାସ ଧରି ଏହି ରାସ୍ତା ବନ୍ଦ ହୋଇ ପଡିଥିଲା । ପ୍ରଶାସନର କହିବା କଥା, ଏହି ବିକ୍ଷୋଭ କାରଣରୁ ଗାଡି ଚାଳକ ଓ ସ୍ଥାନୀୟ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଠିକ୍ ସମୟରେ ନିଜ ଅଫିସ୍ ପହଞ୍ଚି ପାରୁନଥିବାବେଳେ ରାସ୍ତା ପାର୍ ହେବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଅନ୍ୟପଟେ ଚାଷୀଙ୍କ କହିବା କଥା, ଏହି ବ୍ୟାରିକେଡ୍ ପୋଲିସ ତରଫରୁ ଲଗାଯାଇଛି ।

ତେବେ ଦୁଇ ଦିନ ତଳେ ଜେସିବି ମେସିନ୍ ସାହାଯ୍ୟରେ ଦିଲ୍ଲୀ ପୋଲିସ ଟିକରୀ ବର୍ଡରରୁ ଏହି ବ୍ୟାରିକେଡ୍ ହଟାଇ ଦେଇଛନ୍ତି । ତେବେ ଏନେଇ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ନିଜର ରାୟ ଶୁଣାଇଥିିଲେ । ରାଜପଥକୁ ଏଭଳି ଭାବେ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବନ୍ଦ କରି ରଖିହେବ ନାହିଁ । ତେବେ ଏହାରି ଭିତରେ ଚାଷୀ ନେତା ରାକେଶ ଟିକାୟତଙ୍କ ଏହି ବୟାନକୁ ନେଇ ଏବେ ରାଜନୀତି ତେଜିବ ବୋଲି ଆଶା କରାଯାଉଛି ।