ପ୍ରଧାନମନ୍ତ୍ରୀଙ୍କ କଥା ମାନିବୁ, ଏବେ ଫସଲ ବିକିବାକୁ ସଂସଦ ଯିବୁ । କାହିଁକି ଏମିତି କହିଲେ ଟିକାୟତ?

181

କନକ ବ୍ୟୁରୋ : ଟିକିରି ପରେ ଏବେ ଗାଜିପୁର ସୀମାରୁ ବ୍ୟାରିକେଡ ହଟାଇବା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ଆଉ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କୃଷକ ନେତା ରାକେଶ ଟିକାୟତ । ବ୍ୟାରିକେଡ ହଟାଇବା ନିଷ୍ପତ୍ତିକୁ ସଠିକ କହିବା ସହ ଟିକାୟତ କହିଛନ୍ତି, ଏବେ ଫସଲ ବିକିବାକୁ ଚାଷୀ ସଂସଦକୁ ଯିବେ ।

ଗାଜିପୁର ସୀମାରେ ଚାଲିଥିବା ଚାଷୀଙ୍କ ଧାରଣାସ୍ଥଳରୁ ବ୍ୟାରିକେଡ ହଟାଇବାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ପରେ ବ୍ୟାରିକେଡକୁ ହଟାଇ ରାସ୍ତା ଖୋଲାଯାଉଛି । ବ୍ୟାରିକେଡ ହଟିବା ପରେ ଗାଜିଆବାଦ-ଦିଲ୍ଲୀ ରାସ୍ତା ଖୋଲିଯିବ । କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ପାଖାପାଖି ବର୍ଷେ ହେବ ରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ ।

ଅନ୍ୟପଟେ ଟିକାୟତ କହିଛନ୍ତି, ପ୍ରାୟ ୧୧ ମାସ ହେବ ଚାଷୀ ଧାରଣାରେ ବସିଛନ୍ତି । ବ୍ୟାରିକେଡ ହଟୁଛି ଠିକ୍ ଅଛି । ଏନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା ସହ ଆଲୋଚନା ହେବ । ଯେବେ ରାସ୍ତା ଖୋଲିଯିବ ଚାଷୀ ସିଧା ଦିଲ୍ଲୀ ଯିବେ । ସେଠାକୁ ଯାଇ ସଂସଦରେ ଫସଲ ବିକିବେ । ଧାନ ଭର୍ତ୍ତି ଟ୍ରାକ୍ଟର ଧରି ଦିଲ୍ଲୀ ଯିବୁ । ଦେଖିବୁ କିଏ ଓ କେଉଁଠି ଅଟକାଇବ । ପ୍ରଧାନମନ୍ତ୍ରୀ କହିଥିଲେ ଚାଷୀ ଯେଉଁଠି ଚାହିଁବେ ଫସଲ ବିକି କରିପାରିବେ । ତେଣୁ ରାସ୍ତା ଖୋଲିବା ପରେ ଚାଷୀ ସିଧାସଳଖ ସଂସଦ ଯିବେ ଫସଲ ବିକିବାକୁ । ତେବେ ବ୍ୟାରିକେଡ ହଟାଇବାକୁ ନେଇ ଏଯାଏଁ ପୋଲିସଙ୍କ ସହ କୌଣସି ଆଲୋଚନା ହୋଇନାହିଁ । ଯେଉଁଦିନ ଟ୍ରାକ୍ଟର ଯିବା ପାଇଁ ରାସ୍ତା ଖୋଲିଯିବ, ସେଦିନ ଟ୍ରାକ୍ଟରରେ ଫସଲ ଭର୍ତ୍ତି କରି ବିକିବାକୁ ଦିଲ୍ଲୀ ଯିବୁ ।

ପ୍ରଦର୍ଶନ ପାଇଁ ରାସ୍ତା ବନ୍ଦ କରି ରଖିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଲମ୍ବା ସମୟ ଧରି ଏଭଳି ରାସ୍ତାରୋକ କରି ରଖାଯାଇପାରିବ ନାହିଁ । କାରଣ ଏଥିପାଇଁ ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଟିକାୟତ କହିଥିଲେ, ବ୍ୟାରିକେଡ ଲଗାଇ ପୋଲିସ ରାସ୍ତା ବନ୍ଦ କରିଛି, ଚାଷୀ ନୁହଁନ୍ତି । ଆଉ ଏହାପରେ ପୋଲିସ ବ୍ୟାରିକେଡ ହଟାଇବା ଆରମ୍ଭ କରିଛି ।