କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ କୃଷକ ନେତା ରାକେଶ ଟିକାୟତ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି । ରାକେଶ ଟିକାୟତ ତାଙ୍କ ଟ୍ୱିଟ୍ ମାଧ୍ୟମରେ ବାଇଡେନଙ୍କୁ ଗୁହାରି କରିଛନ୍ତି କି “ଆଜି ଯେତେବେଳେ ଆପଣଙ୍କୁ ଆମ ପ୍ରଧାନମନ୍ତ୍ରୀ ଭେଟିବେ ସେତେବେଳେ ଆପଣ ଦୟାକରି ଭାରତର କୃଷକମାନଙ୍କ ସମସ୍ୟା ଉପରେ ଆଲୋଚନା କରିବେ ।” ସେ ତାଙ୍କର ଟ୍ୱିଟକୁ ବାଇଡେନଙ୍କୁ ଟ୍ୟାଗ କରିଛନ୍ତି । ସେ ଆହୁରି ଲେଖିଛନ୍ତି କି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ଆଇନକୁ ବିରୋଧ କରି ୧୧ ମାସ ହେବ ଆନ୍ଦୋଳନରେ ବସିଛନ୍ତି । ଏହି ପ୍ରଦର୍ଶନ ସ୍ଥଳରେ ୭ ଶହରୁ ଅଧିକ କୃଷକ ମରି ସାରିଲେଣି ଏହି କଳା ଆଇନରୁ ଚାଷୀଙ୍କୁ ରକ୍ଷା କରିବାକୁ ସେ ବାଇଡେନଙ୍କ ନିକଟରେ ଗୁହାରି କରିଛନ୍ତି । ଅନ୍ୟପଟେ ଆଜି ଆମେରିକୀୟ ସମୟ ୨.୩୦ ମିନିଟରେ ୱାସିଂଟନ ଡିସିରେ ଭାରତୀୟ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି ।
କହିରଖୁ କି ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ସକାଳେ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି । ଏହି କ୍ରମରେ ଦୁଇଜଣଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଥା କୁହାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଯେତେବେଳେ କରୋନା ମହାମାରୀର ଦ୍ୱିତୀୟ ଲହର ସହିତ ସଂଘର୍ଷ କରୁଥିଲା ସେତେବେଳେ ଆମେରିକା ତରଫରୁ ଭାରତୁ ଅନେକ ସହାୟତା ଯୋଗାଇ ଦିଆଯାଇଥିଲା ।
Dear @POTUS, we the Indian Farmers are protesting against 3 farm laws brought by PM Modi's govt. 700 farmers have died in the last 11 months protesting. These black laws should be repealed to save us. Please focus on our concern while meeting PM Modi. #Biden_SpeakUp4Farmers
— Rakesh Tikait (@RakeshTikaitBKU) September 24, 2021
ଏହି ଗସ୍ତ ସମୟରେ ଆମେରିକାର ୫ ଟି କମ୍ପାନୀର ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଭାରତରେ ପୁଞ୍ଜିନିବେଶ କରିବାକୁ ଅନୁରୋଧ କରିପାରନ୍ତି ପ୍ରଧାନମନ୍ତ୍ରୀ ।