ଆନ୍ଦୋଳନର ଭବିଷ୍ୟତ ନେଇ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ଗରୁତ୍ୱପୂର୍ଣ୍ଣ ବୈଠକ, ହେଲେ ଯୋଗଦେବେନାହିଁ ଟିକାୟତ

126

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ବେଳେ ଆନ୍ଦୋଳନରତ କୃଷକମାନଙ୍କୁ ନିଜ ନିଜ ଘରକୁ ଫେରିଯାଇ କୃଷି କାର୍ଯ୍ୟରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ଏହାକୁ ନେଇ କୃଷକନେତା ତାଥା କୃଷି ଆନ୍ଦୋଳନର ନେତୃତ୍ୱ ରାକେଶ ଟିକାୟତ କହିଥିଲେ କି ଏହା କୃଷକମାନେ ନିର୍ଣ୍ଣୟ କରିବେ କି ସେମାନେ କେବେ ଆନ୍ଦୋଳନସ୍ଥଳ ଛାଡିବେ । ଏନେଇ ୪୨ ଟି କୃଷକ ସଂଗଠନ ଆଜି ବୈଠକ କରୁଛନ୍ତି । ଏହି ବୈଠକରେ ଆନ୍ଦୋଳନର ଆଗାମୀ ରଣନୀତି କଣ ହେବ ତାହା ସ୍ଥିର ହେବ । ଏହି ବୈଠକ ଉପରେ ସାରା ଦେଶର ନଜର ରହିଥିବା ବେଳେ ବୈଠକରେ ଯୋଗ ଦେଇ ନାହାଁନ୍ତି କୃଷକ ଆନ୍ଦୋଳନର ମୁଖ୍ୟ ରାକେଶ ଟିକାୟତ ।

ସୂଚନା ମୁତାବକ ଟିକାୟତ ଲକ୍ଷ୍ନୌ ଠାରେ ଆୟୋଜିତ ହେବାକୁ ଥିବା କିଷାନ ମହାପଞ୍ଚାୟତରେ ଯୋଗ ଦେବାକୁ ଯାଉଥିବା ଯୋଗୁଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇପାରି ନାହାଁନ୍ତି । ୟୁପି ଯିବା ପୂର୍ବରୁ ଜାତୀୟ ଗଣମଧ୍ୟମକୁ ଟିକାୟତ କହିଛନ୍ତି କି ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମର କୌଣସି ପରିବର୍ତ୍ତନ ହେବାର ନାହିଁ ।

ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ଗଣମାଧ୍ୟମକୁ ଟିକାୟତ କହିଥିଲେ କି ସରକାର କେବଳ ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ହେଲେ କୃଷକମାନଙ୍କର ଅନ୍ୟାନ୍ୟ ଦାବି ଉପରେ କିଛି କହି ନାହାଁନ୍ତି । ତେଣୁ ଆନ୍ଦୋଳନ ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ । ସରକାର ଏମଏସପି ଓ ଅନ୍ୟ ଦାବି ଉପରେ କୃଷକ ସଂଗଠନମାନଙ୍କ ସହ ଆଲୋଚନା କରି ସବୁ ଦାବି ଉପରେ ନିର୍ଣ୍ଣୟ ନେବା ପରେ ଆନ୍ଦୋଳନରୁ ଓହରି ପାରନ୍ତି କୃଷକ ।