ଟିକାୟତଙ୍କ ବଡ ବୟାନ । କହିଲେ, ଉତ୍ତରପ୍ରଦେଶରେ ବିଜେପିକୁ ଭୋଟ ଦେବେନି ଜନତା, ନିର୍ବାଚନ ଲଢିବା ଚର୍ଚ୍ଚାରେ ପକାଇଲେ ପୂର୍ଣ୍ଣଚ୍ଛେଦ ।

271

କନକ ବ୍ୟୁରୋ : କନକ ନ୍ୟୁଜର ନ୍ୟୁଜ୍ ମେକର ୨୦୨୧ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷକ ନେତା ଟିକାୟତ ବଡ ବୟାନ ରଖିଛନ୍ତି । ଖାସକରି ଜାତୀୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଉତ୍ତରପ୍ରଦେଶ ରାଜନୀତିକୁ ନେଇ ଟିକାୟତ ଯେଉଁ ବାଣ ମାରିଛନ୍ତି ତାହା ଶାସକ ବିଜେପି ପାଇଁ ସତର୍କଘଣ୍ଟି ସଦୃଶ । ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ୨୦୧୭ରେ ବିଜେପିକୁ ବିପୁଳ ବିଜୟ ମିଳିଥିବା ବେଳେ ୨୦୨୨ରେ ଉତ୍ତରପ୍ରଦେଶ ଫଳାଫଳ କଣ ହେବ ତାହାର ଅନ୍ଦାଜ ଲଗାଇବା ଆଉ ସହଜ ହୋଇନାହିଁ । ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେପି ବ୍ୟାକଫୁଟରେ ଥିବା ବେଳେ ଟିକାୟତ କହିଛନ୍ତି, ଉତ୍ତରପ୍ରଦେଶରେ ବିଜେପିକୁ ଭୋଟ ଦେବେନି ଜନତା ।

ଏହାସହ ଟିକାୟତ କହିଛନ୍ତି ଭାରତୀୟ କିଷାନ ସଂଘ କେବେ ରାଜନୀତିକୁ ଓହ୍ଲାଇବ ନାହିଁ । ମୁଁ ରାଜନୀତିରେ ଆସିବାର ପ୍ରଶ୍ନ ଉଠୁନାହିଁ । ଆଗରୁ ନିର୍ବାଚନ ଲଢିଛି, ଲୋକଙ୍କ ସମର୍ଥନ ମିଳିନି । ଲୋକଙ୍କର ଇଚ୍ଛା ମୁଁ ଆନ୍ଦୋଳନ କରେ, ରାଜନୀତି ନୁହେଁ ।ମୁଁ ନିର୍ବାଚନ ଲଢିବି ନାହିଁ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଗଲେ ସବୁ ସ୍ପଷ୍ଟ କରିଦେବି । ବିଜେପି ସବୁବେଳେ କ୍ଷମତାରେ ରହିବାକୁ ଚାହୁଁଛି । କିନ୍ତୁ ଆଗାମୀ ନିର୍ବାଚନରେ ବିଜେପିକୁ ବଡ ଝଟକା ଦେବେ ଜନତା । ଉତ୍ତରପ୍ରଦେଶରେ ବିଜେପିକୁ ଭୋଟ ଦେବେନି ଜନତା । ରାଜନୀତିରେ ସବୁ ଦଳ ଠକ, ବେଇମାନ କିନ୍ତୁ ବିଜେପି ଏସବୁ କ୍ଷେତ୍ରରେ ସବୁଠୁ ଆଗରେ ରହିଛି ।

ଏହାବାଦ୍ ଟିକାୟତ କହିଛନ୍ତି, ଦିଲ୍ଲୀ ସୀମାରେ କୃଷକଙ୍କ ୧୩ ମାସର ଆନ୍ଦୋଳନ କେବଳ ଟ୍ରେନିଂ ଥିଲା । ଚାଷୀଙ୍କ ଚାପରେ ମୋଦୀ ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପରେ ଚାଷୀ ଆନ୍ଦୋଳନରୁ ଓହରି ଯାଇଛନ୍ତି । ହେଲେ ଏମଏସପିକୁ ନେଇ ଆଇନ ନଆଣିଲେ ପୁଣି ଚାଷୀ ରାସ୍ତାକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି ଦେଶର ସବୁଠୁ ଚର୍ଚ୍ଚିତ କୃଷକ ନେତା ରାକେଶ ଟିକାୟତ ।  କୃଷକ ସଂଗଠନର ଦାବିକୁ ମାନି ନେଇ ବିବାଦୀୟ କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ହେଲେ ଦେଶର ସର୍ବୋଚ୍ଚ ନେତାଙ୍କ ଉପରେ ଭରସା କରିପାରୁ ନାହାନ୍ତି କୃଷି ସଂଗଠନର ସର୍ବମାନ୍ୟ ନେତା ରାକେଶ ଟିକାୟତ । ଦିଲ୍ଲୀ ସୀମାରୁ ଚାଷୀମାନେ ଘରକୁ ଫେରି ଯାଇଛନ୍ତି ସତ । ହେଲେ ଦେଶର ଚାଷୀଙ୍କ ହିତରେ ମୋଦୀ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ନିର୍ଭର କରୁଛି କୃଷକ ଆନ୍ଦୋଳନର ଭବିଷ୍ୟତ ।