କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଭୟଙ୍କର ତ୍ରୁଟି । ଫ୍ଲାଏଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ୧୫ରୁ ୨୦ ମିନିଟ୍ ଫଶି ରହିବା ଘଟଣାକୁ ଗୁରୁତର ସହ ନେଇଛି ଗୃହ ମନ୍ତ୍ରାଳୟ । ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ବୋଲି କହି ପଞ୍ଜାବ ସରକାରଙ୍କୁ ଏ ବାବଦରେ ରିପୋର୍ଟ ମାଗିଛି । ଏହି ମାମଲାକୁ ନେଇ ରାଜନୈତିକ ସ୍ତରରେ ହଲଚଲ ଜୋର ଧରିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ ।
ଟିକାୟତ କହିଛନ୍ତି, ପ୍ରଧାନମନ୍ତ୍ରୀ ସଡକପଥରେ ଆସିବା ଉଚିତ୍ ନଥିଲା । ଆଉ ତାହା ବି ପୁଣି ୧୨୦ କିଲୋମିଟର ଦୂର ଯାଏଁ । ଏତେଦୂର ସଡକପଥରେ ହଠାତ୍ ଆସିବା ନିଶ୍ଚୟ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ । କାରଣ ଏତେଶୀଘ୍ର ୧୨୦ କିଲୋମିଟର ବ୍ୟାପୀ ସୁରକ୍ଷା ଯୋଗାଇବା ସହଜ ନୁହେଁ । କାରଣ ଏଥିପାଇଁ ଅଧିକ ପୋଲିସ ଫୋର୍ସ ଦରକାର । ଯାହାକୁ ସଙ୍ଗେ ସଙ୍ଗେ ମୁତୟନ କରିବା ସମ୍ଭବ ନୁହେଁ ।
#WATCH | When PM was coming to Punjab, what arrangements did he make regarding security? The news about him saying that he survived makes it clear that it was a stunt. It was an attempt to find a cheap way to gain public sympathy: BKU leader Rakesh Tikait pic.twitter.com/PQr0B8hdlX
— ANI (@ANI) January 6, 2022
ଏହି ମାମଲାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଅଭିଯୋଗ ଆଣିଛି ଯେ, ଅଧିକ ଲୋକ ନଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ସଭା ରଦ୍ଦ ହୋଇଥିଲା । ଆଉ ଏହାକୁ ଘୋଡାଇବାକୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡା କରାଯାଇଥିଲା । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା କହି ଚନ୍ନି ସରକାରଙ୍କୁ ଟାର୍ଗେଟ କରୁଛି ବିଜେପି । କିନ୍ତୁ ଟିକାୟତ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏହି ମାମଲାରେ ଭୁଲ ରହିଛି । ଆଉ ପ୍ରଧାନମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା କେବଳ ପଲିଟିକାଲ ଷ୍ଟଣ୍ଟ ବୋଲି କହିଛନ୍ତି ଟିକାୟତ । ଲୋକଙ୍କ ସହାନୁଭୂତି ହାତେଇବା ପାଇଁ ଏଭଳି କରାଯାଇଥିବା କହିଛନ୍ତି ଟିକାୟତ ।
ପ୍ରଧାନମନ୍ତ୍ରୀ ଯେଉଁ ରୁଟରେ ଯାଉଥିଲେ ସେହି ରୁଟରେ ଚାଷୀଙ୍କ ପକ୍ଷରୁ ଅବରୋଧ କରାଯାଇଥିଲା । କିନ୍ତୁ ବାସ୍ତବରେ ଚାଷୀ ଏଠାରେ ପ୍ରଦର୍ଶନ କରୁଥିଲେ, ରୋଡକୁ ଜାମ କରିବାର କୌଣସି ଯୋଜନା ନଥିଲା । କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ସମାନ ରୁଟରେ ଆସୁଥିବାର ଚାଷୀ ଜାଣିବାକୁ ପାଇଥିଲେ ସେତେବେଳେ ରୋଡ ଉପରକୁ ଚାଲି ଆସିଥିଲେ । କିନ୍ତୁ ପ୍ରଦର୍ଶନକାରୀ ଚାଷୀଙ୍କୁ ରାସ୍ତାରୁ ହଟାଇବା ପଞ୍ଜାବ ସରକାରଙ୍କର ଦାୟିତ୍ୱ ଥିଲା । କିନ୍ତୁ ହଠାତ୍ ଏଭଳି ସ୍ଥିତି ଉପୁଜିବ ତାହାର କଳନା କେହି କରିନଥିଲେ । ଏହାଛଡା ବିମାନବନ୍ଦରରୁ ବାହାରି ସଙ୍ଗେ ସଙ୍ଗେ ସଡ଼କପଥରେ ସଭାସ୍ଥଳ ଅଭିମୁଖେ ଯାତ୍ରା କରିବା ଉଚିତ୍ ନଥିଲା । ପୂରା ଘଟଣାର ଯାଞ୍ଚ ହେବା ଆବଶ୍ୟକ ବୋଲି କହିଛନ୍ତି ଟିକାୟତ ।