କନକ ବ୍ୟୁରୋ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଏବେ ରାଜନୀତି ମଧ୍ୟ ତେଜଛି । ବିଜେପି, ସମାଜବାଦୀ ପାର୍ଟି ୟୁପି ମୁଖ୍ୟମନ୍ତ୍ରୀ ପଦ ଜିତିବାକୁ ଜୋରସୋରରେ ପ୍ରଚାର ଚଳାଇଥିବାବେଳେ, କଂଗ୍ରେସ ଓ ବିଏସପି ମଧ୍ୟ ଏଥର ରେସରେ ଅଛନ୍ତି । ଏପରି ସମୟରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀ ନେତା ରାକେଶ ଟିକାୟତ ୟୁପିର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସୂଚନା ଦେଇଛନ୍ତି ।

Advertisment

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ବର୍ତ୍ତମାନ ସରକାରର କାମ ଏମିତି ନଥିଲେ ଯେ, ତାଙ୍କୁ ଆଉଥରେ ଭୋଟ୍ ଦିଆଯିବ । ସେ ଗାଁ ବାଲାଙ୍କୁ ଏ ବିଷୟରେ ବୁଝାଇ ଦେଇଛନ୍ତି । ତେବେ କେଉଁ ଦଳ ଏଥର ନିର୍ବାଚନରେ ବିଜୟୀ ହେବ ସେନେଇ ଟିକାୟତ ସିଧାସଳଖ କିଛି କହିନଥିଲେ ମଧ୍ୟ, ଯେଉଁ ଦଳ ବିଜୁଳି ଶସ୍ତା କରିବ ସେହି ଦଳ ୟୁପି ନିର୍ବାଚନ ଜିତିବ ବୋଲି ସେ କହିଛନ୍ତି ।ତେବେ ରାକେଶ ଟିକାୟତଙ୍କ ଏହି ଇସାର ସମାଜବାଦୀ ପାର୍ଟି ଆଡକୁ ଥିବା ଜଣାପଡୁଛି । କାହିଁକି ନା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବ ୟୁପିବାସୀଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ରାକେଶ ଟିକାୟତଙ୍କ ଏହି କଥା ପରେ ତାଙ୍କର ସମର୍ଥନ ସମାଜବାଦୀ ପାର୍ଟି ଆଡକୁ ଯିବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ରଖୁଛନ୍ତି ।

ଅନ୍ୟପଟେ ଆଖୁ ଦାମକୁ ନେଇ ରାକେଶ ଟିକାୟତ ଯୋଗୀ, ଅଖିଳେଶ ଓ ମାୟାବତୀ ସରକାରର ତୁଳନା କରିଛନ୍ତି । ସେ କହିଛନ୍ତି , ମାୟାବତୀଙ୍କ ଶାସନ କାଳରେ ସେ ଆଖୁ ଦାମ ୧୨୫ରୁ ୧୩୫ ଟଙ୍କା ବଢାଇଥିଲେ । ଅଖିଳେଶଙ୍କ ସମୟରେ ସେ ଏହି ଦାମକୁ ୬୫ ଟଙ୍କା ବଢାଇଥିଲେ । ହେଲେ ବର୍ତ୍ତମାନର ଯୋଗୀ ସରକାର ଏହାକୁ କେବଳ ୨୫ ଟଙ୍କା ବୃଦ୍ଧି କରିଛି । ତେଣୁ ଆଖୁ ରେଟ୍ ବାବଦରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୃତୀୟ ନମ୍ବରରେ ଆସୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ମୋଟ ୭ଟି ପର୍ଯ୍ୟାୟରେ ଏହି ବିଧାନସଭା ନିର୍ବାଚନ ହେବ । ତେବେ ଏଥର ମୁଖ୍ୟମନ୍ତ୍ରୀ ରେସରେ ମୁଖ୍ୟତଃ ବିିଜେପି ଓ ସମାଜବାଦୀ ପାର୍ଟି ରେସରେ ଅଛନ୍ତି । ତେଣୁ ଏଥର ଯୋଗୀ ଏବଂ ଅଖିଳେଶଙ୍କ ଭିତରେ ଏକ କଡା ଟକ୍କର ଦେଖିବାକୁ ମିଳିବ । ତେବେ ଏପରି ସମୟରେ ଚାଷୀ ନେତା ରାକେଶ ଟିକାୟତଙ୍କର ମଧ୍ୟ ୟୁପି ନିର୍ବାଚନକୁ ନେଇ ଏକ ପ୍ରଭାବ ରହିବ । କାହିଁକି ନା ସେ ନିଜେ ଉତ୍ତରପ୍ରଦେଶରୁ ଆସୁଥିବାବେଳେ, କୃଷି ଆଇନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ।