ଅସଦଦ୍ଦୀନ ଓୱେସୀ ଓ ରାକେଶ ଟିକାୟତ ମଧ୍ୟରେ ବୟାନ ଝଡ, ‘ଚାଚାଜାନ’ କହି ଓୱେସୀଙ୍କୁ ଟ୍ରୋଲ କଲେ ଟିକାୟତ

156

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନ ଓ ଶ୍ରମ କୋର୍ଡକୁ ନେଇ କୃଷକମାନେ ପାଖା ପାଖି ୧୦ ମାସ ହେବ ଆନ୍ଦୋଳନ ଚଳାଇଛନ୍ତି । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ ଏବେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ କୃଷକ ମହା ପଞ୍ଚାୟତ ଆୟୋଜନ କରି କେନ୍ଦ୍ର ସରକାର ସମେତ ୟୁପିର ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏଆଇଏମଆଇଏମର ଅଧ୍ୟକ୍ଷ ଅସଦଦ୍ଦୀନ ଓୱେସୀ ଓ ଟିକାୟତଙ୍କ ମଧ୍ୟରେ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟିକାୟତ କହିଛନ୍ତି କି, ଓୱେସୀ ହେଉଛନ୍ତି ବିଜେପିର ଚାଚାଜାନ । ଏହାସହ ୟୁପି ବିଧାନସଭା ନିର୍ବାଚନକୁ ନେଇ ଟିକାୟତ କହିଛନ୍ତି କି ଓୱେସୀ ୟୁପିକୁ ଅତିଥି ଭାବେ ଆସିଛନ୍ତି । ତେଣୁ ୟୁପିର ଗ୍ରାମାଞ୍ଚଳ ଲୋକେ ତାଙ୍କୁ ଚାଚାଜାନ ନାମରେ ଡାକିବା ଆରମ୍ଭ କରିଦେଇଛନ୍ତି । ଏହାସହ ଅୱେସୀଙ୍କ ପାର୍ଟିକୁ ଟିକାୟତ ବିଜେପିର ‘ବି ଟିମ୍’ ବୋଲି କହିଛନ୍ତି ।

ଟିକାୟତଙ୍କ ଏଭଳି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ପକ୍ଷରୁ କୁହାଯାଇଛି କି ଦିନକୁ ଦିନ ଟିକାୟତଙ୍କ ଗୁପ୍ତ ଏଜେଣ୍ଡା ଲୋକମାନଙ୍କ ଆଗରେ ଖୋଲୁଛି । ଟିକାୟତ କୃଷକ ଆନ୍ଦୋଳନ ନାମରେ ନିଜର ପ୍ରଚାର ପ୍ରସାର କରୁଥିବା ବିଜେପି ଅଭିଯୋଗ କରିଛି । ଏହାକୁ ନେଇ ଟିକାୟତ କହିଛନ୍ତି ଯେ ଯିଏ ଭୋଟ ଦେଉଛି ସେ ରାଜନୀତି କରିବା କିଛି ଅପରାଧ ନୁହେଁ ।
ଅନ୍ୟପଟେ ରାକେଶ ଟିକାୟତଙ୍କ ଏଭଳି ବୟାନକୁ ନେଇ ରାଜନୀତି ଆରମ୍ଭ କରିଛି ଏଆଇଏମଆଇଏମ । ପାର୍ଟି ତରଫରୁ କୁହାଯାଇଛି କି ଉଭୟ ଏଆଇଏମଆଇଏମ ଓ ରାକେଶ ଟିକାୟତ ବିଜେପି ବିରୋଧରେ ପ୍ରଚାର କରୁଛନ୍ତି । ଏହାଦ୍ୱାରା ଉଭୟଙ୍କୁ ଲାଭ ହେଉଛି । ତେଣୁ ଅୱେସୀ କିଭଳି ବିଜେପିର ‘ବି ଟିମ୍’ ହେଲା ବୋଲି ଦଳ ଟିକାୟତଙ୍କୁ ପ୍ରଶ୍ନ କରିଛି ।

ଅନ୍ୟପଟେ ଯୋଗୀଙ୍କ (ଆବ୍ୱାଜାନ) ବୟାନ ଉପରେ ଟିକାୟତ କହିଛନ୍ତି ଯେ “ଆମ ପାଖରେ ସମୟ ଅଛି, ଆମେ ସମସ୍ତଙ୍କ ବୟାନ ଶୁଣୁଛୁ, ହେଲେ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ସ୍ଥଳରେ ବିଦ୍ୟୁତ୍ କାଟି ଦିଆଯାଇଛି, ଏ ସମସ୍ୟାକୁ ନେଇ କେବେ କିଏ ବିବୃତ୍ତି ଦେବାର ଶୁଣୁନାହୁଁ ।”