ଆରମ୍ଭ ହେଲା ରାଜ୍ୟସଭା ରେସ୍ । ପାଟ୍ଟଶାଣୀଙ୍କ ଭଗବାନ ଓ ସଇତାନ ଉପାଖ୍ୟାନକୁ ନେଇ ଚର୍ଚ୍ଚା, ସଞ୍ଜୟ ଦାସ ବର୍ମା କହିଲେ ନବୀନ ଦେଇଥିଲେ ଦୁଇଟି ବିକଳ୍ପ, ବାଛିଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ।

760

କନକ ବ୍ୟୁରୋ : ଆସନ୍ତାମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସଂଜୟ ଦାସବର୍ମାଙ୍କୁୁ ମିଳିଛି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଦାୟିତ୍ୱ । ଆଉ ଏହି ଘଟଣା ସହ ଓଡିଶାରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ପାଇଁ ରେସ୍ । ଏହି ରେସରେ ସବୁଠୁ ଆଗରେ ଥିବା ନେତାଙ୍କୁ ଯେତେବେଳେ ଯୋଜନା ବୋର୍ଡର ଦାୟିତ୍ୱ ମିଳିଛି, ଠିକ୍ ସେତି କିବେଳେ କିଏ ଯିବେ ରାଜ୍ୟସଭା, ତାକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଯାଇଛି ।

ଆଉ ପ୍ରଶ୍ନ ଉଠୁଛି, କିଏ ସେଇ ୪ ଚେହେରା? କାହାକୁ ମିଳିବ ସୁଯୋଗ? ପୁରୁଣା ମୁହଁ ନା’ ନୂଆ ମୁହଁକୁ ମିଳିବ ସୁଯୋଗ? ନା’ ପୂର୍ବଥର ଭଳି ଅଶ୍ୱିନୀ ବୈଷ୍ଣବ ଫମୁର୍ଲା ଆପଣାଇବ ବିଜେଡି? ସଂଖ୍ୟା ଦୃଷ୍ଟିରୁ ଖାଲିଥିବା ୪ ଆସନରୁ ବିଜେଡି ଖାତାକୁ ୩ ଆସନ ଯିବା ସୁନିଶ୍ଚିତ । ହେଲେ ୪ର୍ଥ ଆସନ ପାଇଁ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତାକୁ ନେଇ ଏବେ ଚର୍ଚ୍ଚା ।

ସଂଖ୍ୟା ଦୃଷ୍ଟିରୁ ଚତୁର୍ଥ ରାଜ୍ୟସଭା ଆସନ ପାଇଁ କାହା ପାଖରେ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ଚତୁର୍ଥ ଆସନ ପାଇଁ ଏମିତି ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇପାରେ, ଯାହାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମୀ ନଥିବ । ଅର୍ଥାତ୍, ଶିକ୍ଷା, କଳା-ସଂସ୍କୃତି ଭଳି କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ପ୍ରଶ୍ନ ହେଉଛି, ସଂଖ୍ୟା ନିଶ୍ଚିତ ଥିବା ସ୍ଥାନରେ କେଉଁ ୩ ଜଣକୁ ରାଜ୍ୟସଭା ପଠାଇବ ବିଜେଡି? ପୂର୍ବରୁ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଭଳି କିଛି ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ନବୀନ । ଆଉ ଆଜି ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପାଟ୍ଟଶାଣୀଙ୍କ ପାଖକୁ ପହଂଚିଥିଲେ, ସେତେବେଳେ ପାଟ୍ଟଶାଣୀ କହିଥିଲେ, ତାଙ୍କୁ ରାଜ୍ୟସଭା ଟିକେଟ୍ ଦେବା ନେଇ ସନ୍ଦେହ ନାହିଁ, କାରଣ ସନ୍ଦେହର ଅନ୍ୟନାମ ସୈତାନ ।

ଆଉ ଏହାରି ଭିତରେ ଦଳର କିଛି ତୁଙ୍ଗ ନେତାଙ୍କୁ ଦଳୀୟ ସଂଗଠନ ଦାୟିତ୍ୱ ମିଳିଛି । ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଗଂଜାମ ଜିଲ୍ଲା ସଭାପତି, ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଏବଂ ରବିନ୍ଦ୍ର ଜେନାଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି ।

ଏପଟେ ନବୀନ ନିବାସରେ ଆୟୋଜିତ ମଧ୍ୟାହ୍ନ ଭୋଜନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । କଂଗ୍ରେସ ଅଭିଯୋଗ କରିଛି, ରାଜ୍ୟସଭା ଆସନ ନେଇ ହୋଇଛି ବିଜେଡି-ବିଜେପି ଡିଲ୍ ।