ରାଜ୍ୟସଭାରେ ହଙ୍ଗାମା କରିଥିବା ସାଂସଦଙ୍କ ଉପରେ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ । ୮ ସାଂସଦ ସପ୍ତାହେ ପାଇଁ ସସପେଣ୍ଡ । ଭେଙ୍କେୟା କହିଲେ : ଗୃହରେ ଏଭଳି ବ୍ୟବହାର ଲଜ୍ଜାଜନକ

108

କନକ ବ୍ୟୁରୋ : ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବା ସାଂସଦ ନିଲମ୍ବିତ । କୃଷି ବିଲ ଚର୍ଚା ସମୟରେ ଅଗଣତାନ୍ତ୍ରିକ ବ୍ୟବହାର କରିଥିବା ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ୮ଜଣ ବିରୋଧୀ ଦଳ ସାଂସଦଙ୍କୁ ଏକ ସପ୍ତାହ ଯାଏଁ ନିଲମ୍ବିତ ଘୋଷଣା କରିଛନ୍ତି ।

ଟିଏମସି ସାଂସଦ ଡାରେକ ଓ ବ୍ରାଏନ, ଆପ ସାଂସଦ ସଂଜୟ ସିଂ, ସାଂସଦ ସୟଦ ନସିର ହୁସେନ, ଡୋଲା ସେନ, ରାଜୀବ ସାଟବ, କେକେ ରାଗେଶ, ରିପୁନ ବୋରା ଓ ଏଲାମରାମ କରିମ ନିଲମ୍ବିତ ହୋଇଛନ୍ତି । ଏହାକୁ ନେଇ ରାଜ୍ୟସଭାରେ ଆଜି ପ୍ରବଳ ହଟ୍ଟଗୋଳ ହେବାରୁ ଦିନ ୧୦ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

ଗତକାଲି କୃଷି ବିଲ ଚର୍ଚ୍ଚା ସମୟରେ ବିରୋଧୀ ଦଳର ସାଂସଦମାନେ ବିଲକୁ ବିରୋଧ କରି ହଙ୍ଗାମା କରିଥିଲେ । ଏଥିସହ କିଛି ସାଂସଦ ଉପାଧ୍ୟକ୍ଷଙ୍କ ସାମ୍ନାରେ ରୁଲ ବୁକ ଚିରିବା ସହ ମାଇକ ଭଙ୍ଗା ରୁଜା କରିଥିଲେ । ଏହାକୁ ନେଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଗତକାଲିର ଦିନ ରାଜ୍ୟସଭାର ସବୁଠୁ ଖରାପ ଦିନ ଥିଲା । ଗୃହରେ କିଛି ସାଂସଦଙ୍କ ଆଚରଣ ଲଜ୍ଜାଜନକ ଥିଲା ।

ବିଲକୁ ବିରୋଧ ନାମରେ ବିରୋଧୀ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଦୁର୍ବ୍ୟବହାର କରିଛନ୍ତି । କିଛି ସାଂସଦ ପେପର ଫିଙ୍ଗିଲେ, ରୁଲ ବୁକ ଫିଙ୍ଗିଲେ, ମାଇକ ଭାଙ୍ଗିଲେ, ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଧମକ ଦେଲେ, ଏପରିକି ତାଙ୍କ ଉପରେ ଆପତିଜନକ ଟିପ୍ପଣୀ କରିଥିଲେ ବୋଲି କହିଛନ୍ତି ଭେଙ୍କେୟା ନାଇଡୁ । ସେପଟେ ଗତକାଲି ବିରୋଧୀଙ୍କ ଦାବିକୁ ଅଣଦେଖା କରି ବିଲ ପାରିତ କରାଇଥିବାରୁ ଉପାଧ୍ୟକ୍ଷଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି ।