ରାଜ୍ୟସଭା ରେସ । ପୁରୁଣା ପ୍ରତିଶ୍ରୁତି କଥା ମନେ ପକାଇଲେ ପାଟ୍ଟଶାଣୀ, କହିଲେ ଏଥର ନବୀନ ନିଶ୍ଚୟ ରାଜ୍ୟସଭା ପଠାଇବେ ।

273

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଖାଲି ପଡୁଥିବା ଆସନରେ କିଏ ରାଜ୍ୟସଭା ଯିବ ତାହାକୁ ନେଇ ଆରମ୍ଭ ଚର୍ଚ୍ଚା । ଖାସକରି ବିଜେଡି ଶିବିରରେ ଏହି ଚର୍ଚ୍ଚା ସବୁଠୁ ଅଧିକ । କାରଣ ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନ ବିଜେଡି ଖାତାକୁ ଆସିବା ଏକପ୍ରକାର ନିଶ୍ଚିତ । ଆଉ ଏଭଳି ସ୍ଥଳେ ଏବେ ୨୦୧୯ ନିର୍ବାଚନରେ ଟିକେଟ ପାଇନଥିବା ଓ ପରାଜିତ ହୋଇଥିବା କିଛି ବିଜେଡି ନେତା ଏବେ ରାଜ୍ୟସଭା ଲଡୁ ଖାଇବାକୁ ଆଗ୍ରହ ପ୍ରକାଶ କଲେଣି । ଯେଉଁ ତାଲିକାରେ ଉଭୟ ପୁରୁଣା ଓ ନୂଆ ଚେହେରା ରହିଛି । ଆଉ ସେମଧ୍ୟରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଅନ୍ୟତମ ।

ରାଜ୍ୟସଭା ନିର୍ବାଚନ ବିଗୁଲ ବାଜିବା ପରେ ପାଟ୍ଟଶାଣୀ ଏବେ ପୁରୁଣା ପ୍ରତିଶ୍ରୁତି କଥା ମନେ ପକାଇଛନ୍ତି । ଆଉ କହିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ପୂରା ଭରସା ଅଛି । ଏଥର ନିଶ୍ଚୟ ରାଜ୍ୟସଭା ପଠାଇବେ । କିନ୍ତୁ ରାଜ୍ୟସଭା ନ ପଠାଇଲେ ବି ଦଳ ପାଇଁ କାମ କରୁଛି ଆଗକୁ ମଧ୍ୟ କରିବି । ଟିକେଟ ନ ମିଳିଲେ ବି ଦଳ ପାଇଁ କାମ କରିବି । ନବୀନଙ୍କ ନିଷ୍ପତ୍ତି ବିରୋଧ ଯିବାର ପ୍ରଶ୍ନ ଉଠୁନାହିଁ । ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାହା ମୁଁ ମାନିନେବି । ଦଳରେ କାମ କରୁଛି ଆଗକୁ ମଧ୍ୟ କରିବି । ମୋ ପାଇଁ ଦଳ ହିଁ ବଡ । ଏହାଛଡା ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହାକୁ ପୂରଣ କରନ୍ତି । ଓଡ଼ିଶାର ବିକାଶ ହେଉଛି ଏହାର ସବୁଠୁ ବଡ ଉଦାହରଣ । ତେଣୁ ସେହି କ୍ରମରେ ଏଥର ମୋତେ ରାଜ୍ୟସଭା ପଠାଇବେ ବୋଲି ଭରସା ରହିଛି । ଏପରିକି ପ୍ରତ୍ୟକ୍ଷ ନିର୍ବାଚନ ଲଢିବାକୁ କହିଲେ ବି ଲଢିବି ବୋଲି କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।

ଗତ ୨୦୧୯ ନିର୍ବାଚନରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମିଳିନଥିଲା ବିଜେଡି ଟିକେଟ । ଆଉ ପ୍ରତିବଦଳରେ ସେତେବେଳେ ଦଳର ଏହି ବରିଷ୍ଠ ନେତାଙ୍କୁ ମିଳିଥିଲା ରାଜ୍ୟସଭା ପ୍ରତିଶ୍ରୁତି । କିନ୍ତୁ ଏହାପରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ପ୍ରସନ୍ନ ଦିଲ୍ଲୀ ଯିବାକୁ ଆଶାବାଦୀ ଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କ ନାଁରେ ମୋହର ବାଜିନଥିଲା । କିନ୍ତୁ ଏଥର ନିଶ୍ଚୟ ତାଙ୍କ ନାଁରେ ମୋହର ବାଜିବ ବୋଲି ଆଶାବାଦୀ ଅଛନ୍ତି ପ୍ରସନ୍ନ ।

ଅନ୍ୟପଟେ ଆସନ୍ତା ଜୁନ୍ ୧୦ରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେବ । ସେହିଭଳି ଜୁନ୍ ୧୩ରେ ଫାଙ୍କା ପଡିଥିବା ଆଉ ଏକ ରାଜ୍ୟସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେବ । କଟକ ମେୟର ଭାବେ ସୁବାସ ସିଂ ନିର୍ବାଚିତ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତେଣୁ ଏହି ଆସନ ପାଇଁ ମଧ୍ୟ ଭୋଟଗ୍ରହଣ ହେବ । ଅଥାର୍ତ ଆସନ୍ତା ଗୋଟିଏ ମାସ ମଧ୍ୟରେ ଫାଙ୍କା ପଡିଥିବା ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଭୋଟଗ୍ରହଣ ହେବ । ଆଉ ଏକକାଳୀନ ୪ ଆସନ ପାଇଁ ଭୋଟ ହେଉନଥିବାରୁ ବିଜେଡିକୁ ଏହା ବେଶ ସୁହାଇବ । ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନ ବିଜେଡି ଖାତାକୁ ଆସିବା ଏକପ୍ରକାର ନିଶ୍ଚିତ । ଯେଉଁଥିପାଇଁ ଏବେ ବିଜେଡିରେ ଅନେକ ଆଶାୟୀଙ୍କ ଚର୍ଚ୍ଚା ହେଉଛି । କିନ୍ତୁ ବିଜେଡି ସୁପ୍ରିମୋ କାହା ନାଁରେ ମୋହର ମାରିବେ ତାହାର ଅନ୍ଦାଜ ଲଗାଇବା ଦଳୀୟ ନେତାଙ୍କ ପାଇଁ ସହଜ ନୁହେଁ । ସବୁବେଳେ ଶେଷ ପର୍ଯ୍ୟନ୍ତ ସସପେନ୍ସ ରଖି ସରପ୍ରାଇଜ ଦେଉଥିବା ନବୀନ ଏଥର କାହାକୁ ଦିଲ୍ଲୀ ପଠାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।