ରାଜ୍ୟସଭା ନିର୍ବାଚନରେ ବ୍ୟାପକ କ୍ରସଭୋଟିଂ । ହିମାଚଳରେ କଂଗ୍ରେସ ଓ ଉତରପ୍ରଦେଶରେ ସମାଜବାଦୀ ପାର୍ଟିକୁ ବଡ଼ ଝଟକା

94

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ଆଖି ଥିଲେ ରାଜ୍ୟସଭା ଆସନ ଉପରେ । ଏପ୍ରିଲରେ ୫୬ଟି ଆସନ ଖାଲିହେବାକୁ ଯାଉଛି । ଏହାପୂର୍ବରୁ ଏହି ଆସନରେ ନିର୍ବାଚନ ହୋଇଛି । କିନ୍ତୁ ୫୬ ଆସନରୁ ବିଜେପି ଏକାକୀ ୩୦ ଆସନ ଦଖଲ କରିଛି । କୁହାଯାଉଛି ରାଜ୍ୟସଭାରେ ବିଜେପିର ଏହି ଫଳାଫଳ ଆଗାମୀ ଦିନରେ ଲୋକସଭା ନିର୍ବାଚନରେ ବିରୋଧୀଙ୍କୁ କ୍ଷତି ପହଂଚାଇପାରେ । ମଂଗଳବାର ୧୫ ଆସନରେ ନିର୍ବାଚନ ହୋଇଥିଲା । ଯେଉଁଥିିରୁ ହିମାଚଳ ପ୍ରଦେଶରେ ଗୋଟିଏ ଆସନ ଥିଲା । କିନ୍ତୁ କ୍ରସ ଭୋଟିଂ ଜରିଆରେ ବିଜେପି ଏହି ଆସନ ହାତେଇ ନେଇଛି । କଂଗ୍ରେସ ଏବଂ ସ୍ୱାଧୀନ ବିଧାୟକଙ୍କ କ୍ରସ ଭୋଟିଂ ଶାସକ ଦଳ କଂଗ୍ରେସକୁ ଝଟକା ଦେଇଛି । ଯାହା ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରର ସ୍ଥାୟିତ୍ୱ ନେଇ ସଙ୍କଟ ସୃଷ୍ଟି ହୋଇଛି ବୋଲି ବିରୋଧୀ ଦାବି କରିଛନ୍ତି ।

ହିମାଚଳ ପ୍ରଦେଶରେ ଶାସକ କଂଗ୍ରେସରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି । ମଙ୍ଗଳବାର ରାଜ୍ୟରେ ଏକମାତ୍ର ରାଜ୍ୟସଭା ଆସନରେ ବିଜେପି ବିଜୟୀ ହୋଇଛି । ବିଜେପିର ହର୍ଷ ମହାଜନ କଂଗ୍ରେସର ଅଭିଷେକ ମନୁ ସିଂଘଭିଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନରେ ଉଭୟ ପ୍ରାର୍ଥୀ ୩୪ ଜଣଙ୍କ ସମର୍ଥନ ପାଇଥିଲେ । ଏହାପରେ ବିଜେପି ପ୍ରାର୍ଥୀ ମହାଜନଙ୍କୁ ଡ୍ର ଜରିଆରେ ବିଜେତା ଘୋଷଣା କରାଯାଇଛି । ୬୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୪୦ ବିଧାୟକ ରହିଛନ୍ତି । ତେଣୁ କଂଗ୍ରେସ ପ୍ରାର୍ଥୀ ଏଠାରେ ବିଜୟ ହେବ । ଏକ ପ୍ରକାର ସୁନିଶ୍ଟିତ ଥିଲା । ହିମାଚଳରେ ବିଜେପିର ୨୫ ବିଧାୟକ ଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । କଂଗ୍ରେସର ୬ ଜଣ ବିଧାୟକ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲେ । ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲେ । ଏହାପରେ ସଂଖ୍ୟା ଗଣିତ ବଦଳିଯାଇଥିଲା ।

ନିର୍ବାଚନ ଆଚରଣ ନିୟମ, ୧୯୬୧ର ନିୟମ ୭୫(୪) ଅନୁଯାୟୀ ପ୍ରାର୍ଥୀମାନେ ସମାନ ଭୋଟ ପାଇଲେ ଡ୍ର’ର ଆଶ୍ରୟ ନିଆଯାଏ । ନିର୍ବାଚନ ଆଚରଣ ନିୟମ ଅନୁଯାୟୀ, ଗୋଟିଏ ରାଜ୍ୟସଭା ଆସନ ପାଇଁ ଯେଉଁଠି ଦୁଇ ଜଣ ପ୍ରାର୍ଥୀ ସମାନ ସଂଖ୍ୟାରେ ଭୋଟ୍ ପାଆନ୍ତି, ରିଟର୍ଣ୍ଣିଂ ଅଫିସର ପ୍ରାର୍ଥୀଙ୍କ ନାମ ଥିବା ସ୍ଲିପ ବା କାଗଜ କୁ ଏକ ବାକ୍ସରେ ରଖନ୍ତି  । ବାକ୍ସରେ ସ୍ଲିପ୍ ବାହାର କରିବା ପୂର୍ବରୁ ସ୍ଲିପ୍ ଗୁଡ଼ିକୁ ଗୋଳାଇ ଦିଆଯାଏ । ଏହାପରେ ଯେଉଁ ପ୍ରାର୍ଥୀଙ୍କ ନାଁର ସ୍ଲିପ୍ ବାକ୍ସରୁ ବାହାରକୁ ଆସିବ ସିଏ ପରାଜିତ ବୋଲି ଘୋଷିତ ହୁଅନ୍ତି । ଏବଂ ବାକ୍ସ ଭିତରେ ଥିବା ସ୍ଲିପକୁ ବିଜେତା ଘୋଷଣା କରାଯାଏ ।

ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନରୁ ବିଜେପି ୮ଟି ଓ ସମାଜବାଦୀ ପାର୍ଟି ୨ଟି ଆସନରେ ବିଜୟୀ ହୋଇଛି । ରାଜ୍ୟରେ ୧୦ଟି ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ । ବିଜେପିର ୮ ଜଣ ଓ ଏସପିର ୩ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିଥିଲେ । ବିଧାୟକ ସଂଖ୍ୟା ଦୃଷ୍ଟିରୁ ୟୁପିରେ ବିଜେପି ୭ଟି ଓ ସମାଜବାଦୀ ପାର୍ଟି ୩ଟି ଆସନରେ ବିଜୟୀ ହେବାର ଥିଲା । ଏହା ସତ୍ତେ୍ୱ ବିଜେପି ସଞ୍ଜୟ ସେଠଙ୍କୁ ଅଷ୍ଟମ ପ୍ରାର୍ଥୀ କରିଥିଲା । ପରେ ସମାଜବାଦୀ ପାଇଁ ନିଜର ତୃତୀୟ ଆସନ ଜିତିବାର ଗଣିତ ଖରାପ ହେବାକୁ ଲାଗିଲା । କାରଣ ସପାର ବିଧାୟକ କ୍ରସ ଭୋଟିଂ କରିଥିଲେ ।

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ବେଳେ ହିମାଚଳ ପ୍ରଦେଶରେ ସୃଷ୍ଟି ହୋଇଥିବା କଂଗ୍ରେସ କନ୍ଦଳ କେନ୍ଦ୍ରରେ ଶାସକ ଦଳ ବିଜେପିକୁ ବେଶ ସୁହାଇଛି ।