ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେବ ବିଜେଡି, ନିତିଶଙ୍କ ଫୋନକଲ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ମନୋଝ ଝାଙ୍କୁ ପ୍ରାର୍ଥୀ କରିଛି ମିଳିତ ବିରୋଧୀ ଦଳ

1,038
କନକ ବ୍ୟୁରୋ : ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଘୋଷଣା କଲା ବିଜେଡି । ସମର୍ଥନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଡିୟୁ ସାଂସଦ ହରିବଂଶଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଏହି ପଦବୀ ପାଇଁ ନିର୍ବାଚନ ହେବ । ହରିବଂଶଙ୍କୁ ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ନବୀନଙ୍କ ସହ କଥା ହୋଇଥିଲେ । ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ୨୩୩ ଜଣ ନିର୍ବାଚିତ ସଭ୍ୟ  ହୋଇଥିବାବେଳେ ୧୨ ଜଣ ମନୋନୀତ ସଦସ୍ୟ ଅଛନ୍ତି । ସେଥିରୁ ବିଜେପିର ୮୬ ମିିଶି ଏନଡିଏର ୧୧୬ ଜଣ ରହିଛନ୍ତି  । ବିଜେଡିର ସମର୍ଥନ ପରେ ରାଜ୍ୟସଭାରେ ହରିବଂଶଙ୍କ ସପକ୍ଷରେ ଏହି ସଂଖ୍ୟା ୧୨୫ରେ ପହଁଚିଛି ।
ଅନ୍ୟପଟେ ହରିବଂଶଙ୍କ ବିପକ୍ଷରେ ୟୁପିଏ ଓ ବିରୋଧୀ ଦଳ ପକ୍ଷରୁ ଆରଜେଡି ସାଂସଦ ମନୋଜ ଝାଙ୍କୁ ପ୍ରାର୍ଥୀ କରାଯାଇଛି । ରାଜ୍ୟସଭାରେ ୟୁପିଏର ୬୦ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ୬୭ ରହିଛି । ଏମାନଙ୍କ ମଧ୍ୟରୁ ବିଜେଡିର ୯ ଜଣ ସଭ୍ୟ ଥିବାବେଳେ , ଏଆଇଡିଏମକେର ୮, ୱାଇଏସଆରସିପିର ୬ ଓ ଟିଆରଏସର ୭ ଜଣ ସଭ୍ୟ ରହିଛନ୍ତି । ଏହି ଦଳମାନେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ଆକଳନ କରିଛନ୍ତି ରାଜନୈତିକ ବିଶେଷଜ୍ଞ ।