ଏଣିକି ସଂଧ୍ୟା ୭ଟା ପରେ ଅଫିସରେ ରହିପାରିବେନି ମହିଳା କର୍ମଚାରୀ । ସକାଳ ୬ରୁ ସଂଧ୍ୟା ୭ଟା ଭିତରେ ରହିବ କାମ କରିବାର ସମୟ । ସପ୍ତାହରେ ୬ରୁ ଅଧିକ ଦିନ କାମ କରିପାରିବେନି କୌଣସି ବି କର୍ମଚାରୀ । ଓଭରଟାଇମ୍ କରାଇଲେ କଂପାନୀ ଦେବ ଡବଲ ମଜୁରୀ

582

କନକ ବ୍ୟୁରୋ: ଏଣିକି ସକାଳ ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ରହିବ ମହିଳାଙ୍କ କାମ କରିବାର ସମୟ । ସଂଧ୍ୟା ୭ଟା ପରେ ମହିଳା କର୍ମଚାରୀଙ୍କୁ ରଖିପାରିବେନି କୌଣସି ବି କଂପାନୀ ମାଲିକ । ଯଦି କୌଣସି ସଂସ୍ଥା କିମ୍ବା କଂପାନୀ କୌଣସି ମହିଳା କର୍ମଚାରୀଙ୍କୁ ରାତି ୭ଟା ପରେ କାମ କରିବାକୁ କୁହନ୍ତି ତେବେ ତାଙ୍କ ସୁରକ୍ଷା ଦାୟିତ୍ୱ ସଂପୃକ୍ତ କର୍ମଚାରୀଙ୍କର ହିଁ ରହିବ । ସେହିଭଳି କୌଣସି ବି କର୍ମଚାରୀ ସପ୍ତାହରେ ୬ଦିନରୁ ଅଧିକ ଦିନ କାମ କରିପାରିବେ ନାହିଁ । ଯଦି କୌଣସି କର୍ମଚାରୀଙ୍କୁ ଓଭରଟାଇମ କାମ କରିବାକୁ କୁହାଯାଏ ତେବେ ସଂପୃକ୍ତ କଂପାନୀ ତାଙ୍କୁ ସେ ଦିନର ଦୁଇଗୁଣା ମଜୁରୀ ଦେବାକୁ ହେବ । ତେବେ ଏକଥା ଆମେ କହୁନାହୁଁ ବରଂ ସଂସଦରେ ପାରିତ ହୋଇଥିବା ବିଧେୟକରେ ପ୍ରସ୍ତାବ ଦିଆଯାଇଛି ।

ତେବେ ନୂଆ ଶ୍ରମ ଆଇନ ଅନୁସାରେ, ଅଧିକ ଲୋକଙ୍କୁ ଚୁକ୍ତି ଭିତିକ ଶ୍ରମିକ ଭାବେ ନିଯୁକ୍ତ କରିବା ଲାଗି କଂପାନୀମାନଙ୍କୁ ଏବେ ଅନୁମତି ମିଳିବ । ଏଥି ସହିତ ଚୁକ୍ତିର ସମୟ ଯେତେ ଥର ଚାହିଁଲେ କଂପାନୀ ବଢାଇପାରିବେ । ସେହିଭଳି ମହିଳା କର୍ମଚାରୀଙ୍କ କାମ କରିବାର ସମୟ ସକାଳ ୬ଟାରୁ ସଂଧ୍ୟା ୭ଟା ଭିତରେ ରହିବ । ତେବେ ସଂଧ୍ୟା ୭ଟା ପରେ ଯଦି କୌଣସି ମହିଳା କର୍ମଚାରୀ କାମ କରନ୍ତି ତେବେ ତାଙ୍କ ସୁରକ୍ଷା ଦାୟିତ୍ୱ ସଂପୃକ୍ତ କଂପାନୀକୁ ନେବାକୁ ହେବ । କୌଣସି ବି କର୍ମଚାରୀ ସପ୍ତାହକୁ ୬ଦିନରୁ ଅଧିକ ଦିନ କାମ କରିବେ ନାହିଁ । ଓଭରଟାଇମ ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ସେହିଭଳି ବିନା ନିଯୁକ୍ତିପତ୍ରରେ କୌଣସି ବି କର୍ମଚାରୀଙ୍କୁ ନିଯୁକ୍ତି କଂପାନୀମାନେ ଦେଇପାରିବେ ନାହିଁ ବୋଲି ନୂଆ ବିଲରେ ଉଲ୍ଲେଖ ରହିଛି । ଅନ୍ୟପଟେ. ଯେଉଁ କଂପାନୀରେ କର୍ମଚାରୀଙ୍କ ସଂଖ୍ୟା ୩ ଶହରୁ କମ ସେମାନେ ସରକାରଙ୍କ ବିନା ଅନୁମତିରେ କର୍ମଚାରୀଙ୍କୁ ଛଟେଇ କରିପାରିବେ ବୋଲି ଏବି ବିଲରେ କୁହାଯାଉଛି ।

• ୭ଟା ପରେ ମହିଳାଙ୍କୁ କାମ କରାଇଲେ ଦାୟୀ ରହିବ କଂପାନୀ

• ସପ୍ତାହରେ ୬ରୁ ଅଧିକ ଦିନ କାମ କରିପାରିବେନି କର୍ମଚାରୀ

• ଓଭରଟାଇମ୍ କରାଇଲେ କଂପାନୀ ଦେବ ଡବଲ ମଜୁରୀ

ଗତ ୨୩ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିବା ତିନୋଟି ଶ୍ରମ କୋଡ ବିଲ ଲୋକସଭାରେ ପାରିତ ହେବା ପରେ ଏହାକୁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଛି ଏବଂ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ମିଳିବା ପରେ ଏହା ଆଇନରେ ପରିଣତ ହେବ । ତେବେ ସରକାରଙ୍କ ମତରେ ଏହି ତିନୋଟି ବିଲ ଶ୍ରମ କ୍ଷେତ୍ରରେ ଏକ ବଡ ଧରଣର ସୁଧାର ଆଣିବ । ରାଜ୍ୟସଭାରେ ବୃତିଗତ ନିରାପତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟସ୍ଥଳ ସ୍ଥିତି ବିଲ୍-୨୦୨୦, ଶିଳ୍ପ ସଂପର୍କ ବିଲ-୨୦୨୦ ଓ ସାମାଜିକ ସୁରକ୍ଷା ବିଲ-୨୦୨୦ ଗୃହୀତ ହୋଇଥିବା ବେଳେ କେନ୍ଦ୍ରର ଏହି ନୂଆ ନୀତିରେ ଦେଶର ଉଭୟ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମାଚୀରମାନେ ଉପକୃତ ହେବେ ।