କନକ ବ୍ୟୁରୋ: ଆଜି ଲୋକସଭାରେ ଆଗତ ହେବ ଜାମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ । ଗତକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ କରିବାକୁ ଉଦ୍ୟମ କରିବେ ମୋଦି ସରକାର । ତେବେ ଏନଡିଏ ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ପାରିତ ହେବାରେ କୌଣସି ସମସ୍ୟା ହେବ ନାହିଁ । ଏ ସଂପର୍କରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି- ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ସଂପର୍କରେ ପୁଣି ଥରେ ବିସ୍ତୃତ ଆଲୋଚନା ହେବ ଏବଂ ସଂପର୍କରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରହିବେ । ସେହିପରି ଲୋକସଭାରେ ଧାରା ୩୭୦ ଉଚ୍ଛେଦ ନେଇ ସଂକଳ୍ପ ପ୍ରସ୍ତାବ ଅଗତ ହେବ ।

Advertisment

publive-image

ଗତକାଲି ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି । ୧୨୫ ଜଣ ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ବିଲ୍ ବିରୋଧରେ ୬୧ ଟି ଭୋଟ ପଡ଼ିଛି । ଚିଠା ଜରିଆରେ ଏହି ଭୋଟ ହୋଇଥିଲା । ଏହି ବିଲରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଜାମ୍ମୁ ଓ କାଶ୍ମୀର ଠାରୁ ଲଦାଖ୍ କୁ ଅଲଗା କରାଯାଇଛି ।

publive-image

ଉଭୟ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯିବ । ତେବେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବ । ଦିଲ୍ଲୀ ଭଳି ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳଙ୍କ ହାତରେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ରହିବ । ହେଲେ ଲଦାଖରେ ବିଧାନସଭା ରହିବ ନାହିଁ, ସେଠାରେ ଲେଫନାଂଟ ଗଭର୍ଣ୍ଣରଙ୍କ ଜରିଆରେ କେନ୍ଦ୍ର ସରକାର ଶାସନ କରିବେ । ସବୁଠୁ ବଡ଼ କଥା ହେଉଛି, ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଯଦି ପରିସ୍ଥିତି ବଦଳେ, ତେବେ ଜାମ୍ମୁ ଓ କାଶ୍ମୀରକୁ ସଂପୂର୍ଣ୍ଣ ରାଜ୍ୟର ମାନ୍ୟତା ଦିଆଯିବା ନେଇ ପଦକ୍ଷେପ ନିଆଯିବ ।