ଅଧାରେ ରହିଗଲା ଦ୍ୱିତୀୟ କୋଣାର୍କ : ଶିଳ୍ପୀ ରଘୁନାଥଙ୍କ ମୃତ୍ୟୁ ପରେ ବନ୍ଦ ହୋଇଗଲା ଦ୍ୱିତୀୟ କୋଣାର୍କ ଯୋଜନା

ପୁରୀ ନିକଟରେ କିଣାଯାଇଥିଲା ଶହେ  ଏକର ଜମି; ରଘୁନାଥ କହିଥିଲେ, ଦ୍ୱିତୀୟ କୋଣାର୍କ ତାଙ୍କର ଏକମାତ୍ର ସ୍ୱପ୍ନ

185

କନକ ବ୍ୟୁରୋ : ପଂଚଭୂତରେ ବିଲୀନ ହୋଇଛନ୍ତି ସାଂସଦ ତଥା ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର । ପୁରୀରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ସେ ଏପରି ଜଣେ ଯୋଗଜନ୍ମା ଶିଳ୍ପୀ ଥିଲେ, ଯାହାଙ୍କ କୀର୍ତିରାଜି ତାଙ୍କୁ ଅମର କରିଦେଇଛି । ତାଙ୍କ ପୂର୍ବରୁ, କେହି କେବେ ଭାବିନଥିଲେ, ଆଉ ଏକ କୋଣାର୍କ ଗଢ଼ିବା କଥା କହିବା ପାଇଁ କେହି ସାହସ କରିପାରିବେ । କିନ୍ତୁ ଶିଳ୍ପୀ ରଘୁନାଥ ମହାପାତ୍ର, ଅତି ଦମ୍ଭର ସହ କହିଥିଲେ, ସେ ଦ୍ୱିତୀୟ କୋଣାର୍କ ଗଢ଼ିବେ । ରଘୁନାଥ ଏହି କଥା କହିବା ପରେ, ସାରା ଦେଶରେ ଏହାକୁ ନେଇ ଚଚ୍ଚା ଆରମ୍ଭ ହୋଇଥିଲା । କାରଣ, ଏହି ଶିଳ୍ପୀର ଯାଦୁଗରୀ ହାତରେ ଏହି ଦମ୍ ଥିଲା ବୋଲି ସମସ୍ତେ ଜାଣିଥିଲେ ।

୧୯୪୩ ମସିହା ‌ମାର୍ଚ୍ଚ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏହି ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସ୍ବର୍ଗତ ମହାପାତ୍ର। ପୁରୀ ଶାସନ ପଡ଼ିଆଠାନିବାସୀ ପିତା ଦାମୋଦର ମହାପାତ୍ର ଓ ମା’ ଶକୁନ୍ତଳା ମହାପାତ୍ରଙ୍କ ପୁତ୍ର ସ୍ବର୍ଗତ ମହାପାତ୍ର ପିଲାଦିନୁ ହିଁ ପଥର ସହ ବନ୍ଧୁତା କରି ଦେଇଥିଲେ । ସ୍କୁଲ୍‌ରେ ପଢ଼ୁଥିବା ବେଳେ ହିଁ ତାଙ୍କ ପାଠରେ ଡୋରି ବନ୍ଧା ହୋଇଥିଲା । ପରେ ସେ ପୁରୀ ଛାଡ଼ି ଭୁବନେଶ୍ବର ଆସିଥିଲେ। ପ୍ରଥମେ ଓଡ଼ିଶା ସରକାର ହସ୍ତକଳା ତାଲିମ ଓ ଡିଜାଇନ୍ ସେଣ୍ଟର୍‌ରେ ଚାକିରି କରିଥିଲେ। କିନ୍ତୁ ତାଙ୍କର ପ୍ରଚଣ୍ଡ ପ୍ରତିଭା ଖୁବ୍ କମ୍ ବୟସରେ ପ୍ରସ୍ଫୁଟିତ ହୋଇଥିଲା । ନିଜର ହାତୁର ଯାଦୁ କେବଳ ଭୁବନେଶ୍ବର କି ଓଡ଼ିଶା ଭିତରେ ନୁହେଁ, ଜାତୀୟ ରାଜଧାନୀ ଯାଏ ପରିବ୍ୟାପ୍ତ ହୋଇଥିଲା । ତାଙ୍କର ପଥର ଖୋଦେଇ ମୂର୍ତ୍ତି ବିଭିନ୍ନ ମହଲରେ ଉଚ୍ଚପ୍ରଶଂସିତ ହୋଇଥିଲା।

ସ୍ବର୍ଗତ ମହାପାତ୍ର ଦେଶର ଏମିତି କିଛି ବ୍ୟକ୍ତିତ୍ବଙ୍କ ମଧ୍ୟରୁ ଜଣେ ଯିଏ କି, ୩ଟି ଯାକ ପଦ୍ମ ସମ୍ମାନ (ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ) ପାଇବାର ହକ୍‌ଦାର୍‌ ହୋଇପାରିଥିଲେ। ମାତ୍ର ୩୩ ବର୍ଷ ବୟସରେ ‌ଅର୍ଥାତ ୧୯୭୬ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ। ଏହାପରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଅନେକ ସମ୍ମାନ ହାସଲ କରି ଓଡ଼ିଶାର ଗୌରବ ବୃଦ୍ଧି କରିଥିଲେ। ୨୦୧୮ ମସିହାରେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତିଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ଆହୁରି ୩ ବର୍ଷ ବାକି ଥିଲା।

‘ଉତ୍କୃଷ୍ଟ କଳାର ଦେଶ ଉତ୍କଳ’ – ଏହି ଉକ୍ତିଟିକୁ ସ୍ବର୍ଗତ ମହାପାତ୍ର ଯଥାର୍ଥ ଭାବେ ନିଜ କାର୍ଯ୍ୟରେ ପ୍ରତିପାଦିତ କରିପାରିଥିଲେ। ଦେଶ ଭିତରେ ସୀମିତ ନ ଥିଲା ତାଙ୍କ ପ୍ରତିଭା। ତାଙ୍କ ଦ୍ବାରା ନିର୍ମିତ ବୁଦ୍ଧ ମୂର୍ତ୍ତି, ଅଶୋକ ସ୍ତମ୍ଭ ‌ ଫ୍ରାନ୍ସ, ଜାପାନ ଆଦି ବିଭିନ୍ନ ରାଷ୍ଟ୍ରରେ ଶୋଭା ପାଉଛି। ସଂସଦ ଭବନରେ ସ୍ଥାପିତ ୫ ଫୁଟ ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି ତାଙ୍କରି ସୃଷ୍ଟି। ନୂଆଦିଲ୍ଲୀର ବିଭିନ୍ନ ପ୍ରମୁଖ ସ୍ଥାନରେ ଶ୍ରୀ ମହାପାତ୍ରଙ୍କ ଦ୍ବାରା ନିର୍ମିତ ଭାସ୍କର୍ଯ୍ୟକଳା ଶୋଭା ପାଉଛି। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ତାଙ୍କ ଦିଗ୍‌ଦର୍ଶନରେ ଅନେକ ସ୍ଥାପତ୍ୟ ନିର୍ମାଣ ହୋଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଓଡ଼ିଶାର ମୌଳିକ ଭାସ୍କର୍ଯ୍ୟକଳାକୁ ନେଇ ନୂଆ ନୂଆ ମନ୍ଦିର ତାଙ୍କ ନେତୃତ୍ବରେ ନିର୍ମିତ ହୋଇଛି।

୨୦୦୦ ମସିହାରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍‌ କଲ୍‌ଚରାଲ୍‌ ରିଲେସନ୍‌ର ସଦସ୍ୟ ଭାବେ ସେ ଭାରତ ସରକାରଙ୍କ ଦ୍ବାରା ମନୋନୀତ ହୋଇଥିଲେ। ୨୦୧୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ଲଳିତ କଳା ଏକାଡେମିର ସଭାପତି ଭାବେ ମନୋନୀତ କରିଥିଲେ। ତିନିବର୍ଷ ସେ ଏହି ପଦବିରେ ରହି ରାଜ୍ୟରେ କଳାର ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏଥିସହ ସ୍ବର୍ଗତ ମହାପାତ୍ର ପୁରୀ ଶ୍ରୀମନ୍ଦିର ଶେଷ ପରିଚାଳନା କମିଟିର ସଭ୍ୟ ଥିଲେ। ହେରିଟେଜ୍‌ କରିଡର ବିକାଶ ଓ ରୁପା ଚାଦର କମିଟିର ସେ ବିଶେଷଜ୍ଞ ସଦସ୍ୟ ଥିଲେ।। ଭୁବନେଶ୍ବର ଉପକଣ୍ଠରେ ଶିଳ୍ପୀ ଗ୍ରାମ ଓ ରଘୁନାଥ କ୍ରାଫ୍ଟ୍‌ସ୍‌ ପ୍ରତିଷ୍ଠା କରି ନିଜକୁ ସବୁବେଳେ ଭାସ୍କର୍ଯ୍ୟକଳାରେ ନିମଜ୍ଜିତ ରଖୁଥିଲେ। ସେଠାରେ ତାଙ୍କ ଠାରୁ ତାଲିମ୍‌ ନେଇଥିବା ବହୁ ଶିଳ୍ପୀ ଦେଶ, ବିଦେଶରେ ବେଶ୍‌ ନାଁ କମାଇଛନ୍ତି । ଗତ କିଛିବର୍ଷ ହେଲା ଶ୍ରୀ ମହାପାତ୍ର ରାଜ୍ୟରେ ଦ୍ବିତୀୟ କୋଣାର୍କ ଗଢ଼ିବା ପାଇଁ ଲାଗି ପଡ଼ିଥିଲେ। ଏଥିପାଇଁ ସେ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଥିଲେ। ତେବେ ଦ୍ବିତୀୟ କୋଣାର୍କ ବାସ୍ତବ ରୂପ ନେବା ପୂର୍ବରୁ ଶ୍ରୀ ମହାପାତ୍ର ଆରପାରିକୁ ଚାଲିଗଲେ।