ବାଜିଲା ରାଜ୍ୟସଭା ବିଗୁଲ୍, ଆସନ୍ତା ୨୬ରେ ନିର୍ବାଚନ । ଓଡ଼ିଶାର ୪ରୁ ୩ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ, ଚତୁର୍ଥ ଆସନ ପାଇଁ ଛକାପଞ୍ଝା

ନରସିଂହ କହିଲେ ବିଜେପି ଚାପରେ ଆସପାରେ ବିଜେଡି । ବିଜେଡିର ଦମ୍ଭୋକ୍ତି ୪-୪ ଆସନ ଯିବାକୁ ଉଦ୍ୟମ କରିବ ଦଳ

801

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଆଉ ଯେତେବେଳେ ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି, ଠିକ୍ ସେତିକି ବେଳେ କିଏ ଯିବେ ରାଜ୍ୟସଭା ତାକୁ ନେଇ ଆରମ୍ଭ ହୋଇଛି । ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଜିତିବା ସୁନିଶ୍ଚିତ ହେଲେ ଚତୁର୍ଥ ଆସନ ପାଇଁ ଆରମ୍ଭ ହୋଇଛି ଛକାପଂଝା ।

ବାଜିଲା ରାଜ୍ୟସଭା ବିଗୁଲ୍ । ଆରମ୍ଭ ହେଲା ରାଜ୍ୟସଭା ରେସ୍ । ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳ । ଏହି ୪ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସରେ ସରୁଛି । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ସେଇ ୪ ଚେହେରା? ପୁରୁଣା ମୁହଁ ନା’ ନୂଆ ମୁହଁକୁ ମିଳିବ ସୁଯୋଗ? ନା’ ପୂର୍ବଥର ଭଳି ଅଶ୍ୱନୀ ବୈଷ୍ଣବ ଫମୁର୍ଲା ଆପଣାଇବ ବିଜେଡି? ସଂଖ୍ୟା ଦୃଷ୍ଟିରୁ ଖାଲିଥିବା ୪ ଆସନରୁ ବିଜେଡି ଖାତାକୁ ୩ ଆସନ ଯିବା ସୁନିଶ୍ଚିତ । ହେଲେ ୪ର୍ଥ ଆସନ ପାଇଁ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତାକୁ ନେଇ ଏବେ ଚର୍ଚ୍ଚା ।

କ’ଣ କହୁଛି ରାଜ୍ୟସଭା ଗଣିତ? କେଉଁ ଦଳ ପାଖରେ କେତେ ବିଧାୟକ? ରାଜ୍ୟର ମୋଟ୍ ୧୪୭ ବିଧାୟକଙ୍କ ମଧ୍ୟରୁ ଶାସକ ବିଜେଡି ଦଳ ପାଖରେ ରହିଛି ୧୧୩ ବିଧାୟକ । ପ୍ରତ୍ୟେକ ରାଜ୍ୟସଭା ସିଟ୍ ପାଇଁ ୩୦ ବିଧାୟକଙ୍କ ସମର୍ଥନ ଦରକାର । ଅର୍ଥାତ୍ ୩୦ ଗୁଣନ ଚାରି ହିସାବରେ ୧୨୦ ସଦସ୍ୟଙ୍କ ଭୋଟ୍ ଆବଶ୍ୟକ ୪ଟି ଯାକ ରାଜ୍ୟସଭା ଆସନ ଜିତିବା ପାଇଁ । ହେଲେ ବିଜେଡି ପାଖରେ ୭ଜଣ ବିଧାୟକଙ୍କ ସଂଖ୍ୟା କମ୍ ରହିଛି । ବଡ଼ କଥା ହେଉଛି ବିଜେପି ପାଖରେ ରହିଛି ୨୩ ବିଧାୟକ । ଅର୍ଥାତ୍ ଗୋଟିଏ ରାଜ୍ୟସଭା ଆସନ ଜିତିବାକୁ ବିଜେପିକୁ ଦରକାର ୭ ଜଣ ବିଧାୟକଙ୍କ ସମର୍ଥନ । ଏଭଳି ସ୍ଥିତରେ ସମସ୍ତଙ୍କ ନଜର କଂଗ୍ରେସ ଖାତାରେ ଥିବା ୯ଜଣ ବିଧାୟକଙ୍କ ଉପରେ । ଦ୍ୱିତୀୟ ପସନ୍ଦକୁ ଭରସା କରି ଚତୁର୍ଥ ଆସନଟିକୁ ଅକ୍ତିଆର କରିବା ଲକ୍ଷ୍ୟରେ ଉଭୟ ବିଜେଡି ଓ ବିଜେପି । ଏହାରି ଭିତରେ ଗେମ୍ ଚେଞ୍ଜର ହୋଇପାରନ୍ତି ସ୍ୱାଧିନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ।

ହେଲେ ଏପଟେ ରାଜ୍ୟସଭା ଯିବା ପାଇଁ ବିଜେଡିରେ ଅନେକ ଆଶାୟୀ । କିଛି ନେତାଙ୍କୁ ବିଜେଡି ସୁପ୍ରିମୋ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଉ କିଛି ନେତା ଏଥର ରାଜ୍ୟସଭା ଯିବା ପାଇଁ ଆଶା ବାନ୍ଧିଛନ୍ତି । ଏହାରି ଭିତରେ ରାଜନୀତିରେ ଅଶ୍ୱିନୀ ବୈଷ୍ଣବ ଫର୍ମୁଲାର ପୁର୍ନରାବୃତି ଆଶଙ୍କାକୁ ବି ଏଡାଇ ଦିଆଯାଇନପାରେ ।