କନକ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଯେଉଁଥିରେ ଓଡ଼ିଶାର ୩ଟି ଆସନ ରହିଛି । ଆସନ୍ତା ୩ ଏପ୍ରିଲରେ ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବ ଓ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ଫାଙ୍କା ପଡିବାକୁ ଥିବା ୩ ଆସନରେ ନିର୍ବାଚନ ହେବ ।
ରାଜ୍ୟସଭା ନିର୍ବାଚନ ପାଇଁ ୮ ଫେବ୍ରୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୫ ଫେବ୍ରୁଆରୀ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୦ ଫେବ୍ରୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେବା ସହ ଫଳାଫଳ ପ୍ରକାଶ ପାଇବ । ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସଂଖ୍ୟା ଦୃଷ୍ଟିରୁ ଫାଙ୍କା ହେବାକୁ ଥିବା ୩ ଆସନ ବିଜେଡି ଖାତାକୁ ଆସିବ । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଟିକେଟରୁ ବଞ୍ଚିତ ହେବାକୁ ଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିପାରେ । ନଚେତ୍ କିଛି ବରିଷ୍ଠ ନେତାଙ୍କୁ ଦଳ ଦିଲ୍ଲୀ ପଠାଇପାରେ । ଗତଥର ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ନବୀନ । ତେଣୁ ଏଥର ନବୀନ ଯେ, କୌଣସି ସରପ୍ରାଇଜ କାର୍ଡ ଖେଳିବେନି ତାହାର ଆକଳନ କରିବା ବେଶ କଷ୍ଟକର ।