ପେଟ୍ରୋଲ ଦରକୁ ନେଇ ରାଜ୍ୟସଭାରେ ହଙ୍ଗାମା । ସରକାରଙ୍କୁ ଦୋଷ ଦେଲେ ବିରୋଧୀ । ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ।

100

କନକ ବ୍ୟୁରୋ: ତେଲ ପାଇଁ ହଙ୍ଗାମା ହେତୁ ସୋମବାର ଚାଲିପାରିଲାନି ରାଜ୍ୟସଭା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନାରାବାଜି କରିଥିଲେ । ବାରମ୍ବାର ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଥମେ ଗୃହକୁ ଦିନ ୧୧ଟା ଓ ପରେ ଦିନ ଗୋଟାଏ ଯାଏଁ ମୁଲତବୀ ଘୋଷଣା କରିଥିଲେ ସଭାପତି । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୈଳଦର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଅଡିବସି ହଟ୍ଟଗୋଳ କରିଥିଲେ । ପ୍ରବଳ ହଟ୍ଟଗୋଳ ଭିତରେ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ନହେବାରୁ ଗୃହକୁ ମଙ୍ଗଳବାର ଯାଏଁ ମୁଲତବି ଘୋଷଣା କରାଯାଇଛି ।

ବିରୋଧୀ ଗୃହରେ ଅଭିଯୋଗ କରିଛନ୍ତି, ପେଟ୍ରୋଲ,ଡିଜେଲ ଓ ଗ୍ୟାସ ଦର ବର୍ତମାନ ଆକାଶଛୁଆଁ ହୋଇଛି । ଏଥିପାଇଁ ଗରିବ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଏହା ଉପରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଅନ୍ତୁ । ଦେଶରେ ପେଟ୍ରୋଲ ଦର ୧୦୦ ଆଡକୁ ମୁହାଁଉଥିବା ବେଳେ ଡିଜେଲ ଦର ବି ୯୦ ଛୁଇଁଲାଣି । ଏସବୁ ଭିତରେ ଦରବୃଦ୍ଧିର ପ୍ରଭାବ ପଡିଛି ସାଧାରଣ ଖାଉଟିଙ୍କ ଉପରେ । ଏହାକୁ ନେଇ ଉଭୟ ରାଜ୍ୟସଭା ଓ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇ ତୈଳଦର ବୃଦ୍ଧି ନେଇ ଆଲୋଚନା କରିବାକୁ ଦାବି କରିଛନ୍ତି ବିରୋଧୀ ।