ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ : ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା, ଡାକ୍ତର କହିଲେ …

218

କନକ ବ୍ୟୁରୋ : ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି ଦେଶର ଖ୍ୟାତନାମା କମେଡିଆନ୍ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀ ଏମ୍ସରେ ସେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହିଛନ୍ତି ଡାକ୍ତର । ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି । ହୃଦଘାତ ପରଠୁ ତାଙ୍କର ସଂଜ୍ଞା ଫେରିନାହିଁ । ହୃଦଘାତ ପରେ ତାଙ୍କର ମସ୍ତିସ୍କ ଆଘାତ ହୋଇଥିବା କହିଛନ୍ତି ଡାକ୍ତର । ବୁଧବାର ଜିମରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା । ସୂଚନା ମିଳିଛି, ତାଙ୍କର ଆଂଜିଓପ୍ଲାଷ୍ଟି କରାଯାଇଛି । ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନାହିଁ । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମର ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି ।

ରାଜୁ ଶ୍ରୀବାସ୍ତବ ରିୟାଲିଟି ଶୋ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ ଚ୍ୟାଲେଞ୍ଜ’ର ପ୍ରଥମ ସିଜିନରୁ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ଏହି କ୍ରମରେ ସାମିଲ ଅଛି ‘ବାଜିଗର’, ‘ବମ୍ବେ ଟୁ ଗୋଆ’, ‘ଅମଦାନୀ ଅଠନ୍ନି ଖର୍ଚ୍ଚା ରୂପାୟା’ରେ ଅଭିନୟ କରିଥିଲେ । ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ‘ବିଗ୍ ବସ୍ ସିଜନ୍ ୩’ରେ ମଧ୍ୟ ଦେଖିବାକୁ ମିଳିଥିଲା । ୫୮ ବର୍ଷର ରାଜୁ ଶ୍ରୀବାସ୍ତବ ମଧ୍ୟ ଭାରତୀୟ ଜନତା ଦଳର ଜଣେ ନେତା । ବିଜେପିରେ ଯୋଗଦେବା ପୂର୍ବରୁ ସେ ସମାଜବାଦୀ ପାର୍ଟିରେ ମଧ୍ୟ ରହିଥିଲେ ।