୫୦ ଟଙ୍କାରୁ ଆରମ୍ଭ ରାଜୁ ଶ୍ରୀବାସ୍ତବଙ୍କ ଯାତ୍ରା… ଏମିତି ହୋଇପାରିଥିଲେ କମେଡିର ବାଦଶାହ।

152

କନକ ବ୍ୟୁରୋ: ଏହା ଲେଖିବା ବେଳକୁ ବହୁତ ଦୁଃଖ ଲାଗୁଛି ଯେ, କମେଡିର ବାଦଶାହ ରାଜୁ ଶ୍ରୀବାସ୍ତବ ଆଉ ଆମ ଗହଣରେ ନାହାନ୍ତି । ଅଗଷ୍ଟ ୧୦ ତାରିଖରୁ ହୃତଘାତ ପରେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଅନେକ ସମୟ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ । ତେବେ ବୁଧବାର ତାଙ୍କର ପରଲୋକ ହୋଇଯାଇଛି ।

ସମସ୍ତେ ରାଜୁ ଶ୍ରୀବାସ୍ତବଙ୍କୁ କମେଡିର କିଙ୍ଗ ଭାବେ ଜାଣିଛନ୍ତି । ତେବେ ଅନେକ ଜଣ ତାଙ୍କର ଜୀବନର ଆରମ୍ଭ ସମୟ ବାବଦରେ ଅବଗତ ନଥିବେ । କେଉଁଭଳି ସେ ନିଜ କ୍ୟାରିୟର ଆରମ୍ଭରୁ ଅନେକ କଷ୍ଟର ସାମ୍ନା କରିଥିଲେ । ତେବେ ଆସନ୍ତୁ ଜାଣିବା କାନପୁରର ରାଜୁ ଶ୍ରୀବାସ୍ତବ ମନୋରଞ୍ଜନ କ୍ଷେତ୍ରରେ କେଉଁଭଳି ବଡ ନାଁ ହୋଇପାରିଥିଲେ ।

୧୯୬୩ ମସିହା ଡିସେମ୍ବର ୨୫ ତାରିଖରେ ରାଜୁ ଶ୍ରୀବାସ୍ତବଙ୍କ ଜନ୍ମ କାନପୁର ଉନ୍ନାଓରେ ହୋଇଥିଲା । ଜଣେ ମଧ୍ୟବିତ୍ତ ପରିବାରର ଥିଲେ ରାଜୁ ଶ୍ରୀବାସ୍ତବ । ତାଙ୍କ ପିତା ରମେଶଚନ୍ଦ୍ର ଶ୍ରୀବାସ୍ତବ ଜଣେ ପ୍ରସିଦ୍ଧ କବି ଥିଲେ । ତେବେ ତାଙ୍କର ପିଲାଟି ବେଳରୁ ହିଁ କମେଡି ପ୍ରତି ଇଚ୍ଛା ଥିଲା । ପିଲାଟି ବେଳୁ ସେ ମିମିକ୍ରି କରୁଥିଲେ । ସେ ହାସ୍ୟକଳାକାର ହେବାକୁ ଚାହୁଁଥିଲେ, ଆଉ ଛୋଟିଆ ଜାଗାରୁ ବାହରି ନିଜର ସ୍ୱପ୍ନକୁ ସତ କରିଥିଲେ । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଗୋଟିଏ ସାକ୍ଷାତକାରରେ ରାଜୁ ଶ୍ରୀବାସ୍ତବ କହିଥିଲେ, ତାଙ୍କୁ ପିଲାଟୁ ବେଳୁ କମେଡି କରିବାର ଇଚ୍ଛା ଥିଲା । ସେ ସ୍କୁଲରେ ନିଜର ଶିକ୍ଷକଙ୍କର ମିମିକ୍ରି କରୁଥିଲେ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କର ମଧ୍ୟ ମିମିକ୍ରି କରୁଥିଲେ । ତାଙ୍କର ଏହି ମିମିକ୍ରିର ଶୈଳୀ ପାଇଁ ଅନେକ ସମୟରେ କ୍ରିକେଟରେ କମେଣ୍ଟ୍ରି ପାଇଁ ମଧ୍ୟ ଡକାଯାଉଥିଲା ।

ତେବେ ରାଜୁଙ୍କ ରାସ୍ତା ଏତେ ସହଜ ନଥିଲା । ଛୋଟ ସହରରୁ ବାହାରି ରାଜୁ ଶ୍ରୀବାସ୍ତବ ଯେତେବେଳେ କମେଡିଆନ ହେବା ପାଇଁ ମୁମ୍ବାଇ ଆସିଥିଲେ ସେତେବେଳେ ଅନେକ ଅସୁବିଧାର ସାମ୍ନା ତାଙ୍କୁ କରିବାକୁ ପଡିଥିଲା । ଘରୁ ଆସୁଥିବା ଟଙ୍କାରେ ମୁମ୍ବାଇରେ ଚଳିବା ତାଙ୍କ ପାଇଁ ସହଜ ନଥିଲା । ନିଜ ଖର୍ଚ୍ଚ ପୂରଣ ପାଇଁ ସେ ମୁମ୍ବାଇରେ ଅଟୋରିକ୍ସା ମଧ୍ୟ ଚଲାଇଥିଲେ ।

ଆଉ ଏହି ଅଟୋରୁ ହିଁ ତାଙ୍କୁ ପ୍ରଥମ ବ୍ରେକ ମିଳିଥିଲା । ଯେଉଁମାନେ ଅଟୋରେ ଯାଉଥିଲେ ତାଙ୍କ ଜରିଆରେ ଏହି ସଫଳତା ହାସଲ କରିଥିଲେ ରାଜୁ । ନିଜର ପ୍ରଥମ କମେଡି ପାଇଁ ୫୦ ଟଙ୍କା ପାଇଥିଲେ । ତେବେ ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । କମେଡିରେ ସେ ବିଶ୍ୱର ଅନ୍ୟତମ ସଫଳ କଳାକାର ହୋଇପାରିଥିଲେ ।

ରାଜୁଙ୍କ ପ୍ରଥମ ଟିଭି ସୋ ‘ଟି ଟାଇମ ମନୋରଞ୍ଜନ’ ଥିଲା । ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ନିଜର କଳାର ଯାଦୁ ଦେଖାଇଥିଲେ । ତେବେ ସେତେବେଳ ଯାଏ ମଧ୍ୟ ତାଙ୍କୁ ଲୋକେ ଚିହ୍ନିନଥିଲେ । ଏହା ପରେ ରାଜୁ ‘ଦି ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ରେ ସାମିଲ ହୋଇଥିଲେ । ଏହି ସୋରେ ରାଜୁ ନିଜର ମଜାକିଆ ଶୈଳୀ ଏବଂ ଦେଶୀ ଅନ୍ଦାଜ ପାଇଁ ଲୋକଙ୍କ ମନକୁ କିଣିପାରିଥିଲେ । ଏହି ସୋ ଜରିଆରେ ସେ ଘରେ ଘରେ ପରିଚିତ ହୋଇଥିଲେ । ଲୋକମାନେ ତାଙ୍କ ମଜାଦାର ଶୈଳୀର ଦିୱାନା ହୋଇଯାଇଥିଲେ । ଏହି ସୋକୁ ସେ ଜିତିପାରିନଥିଲେ କିନ୍ତୁ ଲୋକେ ତାଙ୍କୁ କିଙ୍ଗ ଅଫ୍ କମେଡିର ମୁକୁଟ ଦେଇଥିଲେ ।

ରାଜୁ କହୁଥିଲେ ଯେ ଷ୍ଟ୍ରଗଲକୁ ନେଇ ତାଙ୍କ ମନରେ କୌଣସି ଦୁଃଖ ନାହିଁ । ଅନେକ ଦିନ ଧରି ସେ ଅନେକ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ତାଙ୍କୁ ପରେ ସେମାନେ ଘର ଖାଲିକରିବାକୁ କହୁଥିଲେ । ଏହି ସମୟରେ କିନ୍ତୁ ସେ ଜନି ଲିଭରଙ୍କ ସହ ଭେଟ ହେଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ଏତେ ଭଲ ଥିଲା ଯେ ସେ ରାଜୁଙ୍କୁ ତାଙ୍କ ଘରେ ସ୍ଥାନ ଦେଇଥିଲେ । ତେବେ ରାଜୁ କିନ୍ତୁ ତାଙ୍କ ଘରେ ରହିବାକୁ ଯାଇନଥିଲେ ।

ତେବେ ଆଜି ତାଙ୍କର ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ତାଙ୍କ ଫ୍ୟାନ୍ସ ରାଜୁ୍ଙ୍କୁ ମନେ ପକାଉଛନ୍ତି ।