ରାଜୁ ଘିବେଲାଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଦାୟିତ୍ୱ । ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ ରାଜୁ, କିଛି ଦିନ ପୂର୍ବେ ବିଜେଡିରେ ହୋଇଥିଲେ ସାମିଲ ।

367

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତିକି ଅଧିକ ବଢୁଛି । ଆଉ ଏହା ଭିତରେ ଆରମ୍ଭ ହୋଇଛି ଦଳଡିଆଁ ପର୍ବ । ଗୋଟିଏ ପଟେ ବିଜେପି ପ୍ରଦୀପ ପୁରୋହିତଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଓ ବିଜେଡି ଏଯାଏଁ ନିଜର କାର୍ଡ ଖୋଲିନାହାନ୍ତି । କିନ୍ତୁ ପଦ୍ମପୁରରେ ଆରମ୍ଭ ହେଲାଣି ଗୋଟିଏ ପରେ ଗୋଟିଏ ମିଶ୍ରଣ ପର୍ବ । ଆଉ ଏହି କ୍ରମରେ ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ରାଜୁ ଘିବେଲା । ଆଉ ଆଜି ବିଜେଡି ପକ୍ଷରୁ ରାଜୁ ଘିବେଲାଙ୍କୁ ଗୁରୁଦାୟିତ୍ୱ ଦେଇଛି ଦଳ । ଦଳର ରାଜ୍ୟ ସମ୍ପାଦକ ଭାବେ ରାଜୁଙ୍କୁ ନୂଆ ଦାୟିତ୍ୱ ମିଳିଛି ।

ବିଜେଡିରେ ସାମିଲ ହେବା ପୂର୍ବରୁ ରାଜୁ ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ । ଏପରିକି ସାଢେ ୪ ହଜାରରୁ ଅଧିକ ଭୋଟ ପାଇ ପଦ୍ମପୁର ଭୋଟ ଗଣିତକୁ ଓଲଟପାଲଟ କରିଥିଲେ । ସ୍ୱାଧୀନ ଭାବେ ଛିଡା ହେବା ପୂର୍ବରୁ ରାଜୁ ବିଜେପି ଦଳରେ ଥିଲେ । କିନ୍ତୁ ୨୦୧୯ରେ ଟିକେଟ ନ ପାଇବାରୁ ବିଜେପି ଛାଡିବା ସହ ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇଥିଲେ । ତେବେ ଉପ-ନିର୍ବାଚନ ପୂର୍ବରୁ ରାଜୁଙ୍କୁ ଦଳରେ ସାମିଲ କରି ବିଜେଡି ପଦ୍ମପୁର ଲଢେଇରେ ନିଜକୁ ଶକ୍ତିଶାଳୀ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିଜେପି ଓ କଂଗ୍ରେସ ମଧ୍ୟ ସ୍ଥାନୀୟ ନେତୃତ୍ୱଙ୍କ ଜରିଆରେ ପଦ୍ମପୁର ନିର୍ବାଚନୀ ବୈତରଣୀ ପାର ହେବା ଉପରେ ଜୋର ଦେଇଛନ୍ତି । ଉଭୟ ଦଳ ବିଭିନ୍ନ କର୍ମୀ ସମ୍ମିଳନୀ ଜରିଆରେ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବାକୁ ଦିନରାତି ଏକ କରି ଦେଇଛନ୍ତି । ଗତ ୨୦୧୯ରେ କଂଗ୍ରେସ ଏଠାରୁ ୩୦ ହଜାରରୁ ଅଧିକ ଭୋଟ ପାଇଥିବାରୁ ଏଥର ପଦ୍ମପୁର ଉପ-ନିର୍ବାଚନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।