କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ମୈଦାନରେ ରହିଲେ ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ବି ସେ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନାହାଁନ୍ତି । ଏଥିସହ ସେ ଆଜି ତାଙ୍କର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ଯେଉଁଥିରେ ସାଧାରଣ ଜନତା, ଖଟିଖିଆ ଓ ଦିନ ମଜୁରିଆଙ୍କୁ ରଖିଛନ୍ତି । ସେପଟେ ରାଜୁ ମୈଦାନରେ ରହିବା ପରେ ନୂଆ ରଣନୀତି ସହ ଆଗକୁ ବଢ଼ୁଛି ବିଜେପି । ନବୀନଙ୍କ ଭାବମୂର୍ତ୍ତିକୁ ନେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରସ୍ତୁତ ହେଉଛି ବିଜେଡି ।
- ରାଜେନ୍ଦ୍ର କୁମାର ଦାସଙ୍କ ଷ୍ଟାର ପ୍ରଚାରକ ତାଲିକା
- ତାଲିକାରେ ଗରିବ ଖଟିଖିଆ ଓ ସାଧାରଣ ଜନତା
ଧାମନଗର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱାଧୀନ ପ୍ରାର୍ଥୀ, ରାଜେନ୍ଦ୍ର କୁମାର ଦାସ ଜାରି କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ପାଇଁ ମାଳମାଳ ନେତା, ଅଭିନେତା ଷ୍ଟାର ପ୍ରଚାରକ ସାଜିଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଧାୟକ ଓ ଛାମୁଆ ନେତା । ଏତିକି ବେଳେ ଗରିବ କାର୍ଡ ଖେଳିଛନ୍ତି ବିଜେଡିର ଏହି ବିଦ୍ରୋହୀ ପ୍ରାର୍ଥୀ । ଶାସକ ଓ ବିରୋଧୀ ଦଳର ପ୍ରାର୍ଥୀଙ୍କୁ କାଉଣ୍ଟର କରିବା ପାଇଁ ଅଞ୍ଚଳର ଗୁରୁଜନ, ଗରିବ ଖଟିଖିଆ, କୃଷକ ଓ ସାଧାରଣ ଜନତା, ତାଙ୍କ ପାଇଁ ଷ୍ଟାର ପ୍ରଚାରକ ବୋଲି କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ।
ଧାମନଗର ଉପନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ । ବିଜେଡି ଟିକେଟରୁ ବଞ୍ଚିତ ହେବାପରେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ରାଜେନ୍ଦ୍ର କୁମାର ଦାସ । ଆଶଙ୍କା କରାଯାଉଥିଲା ଶାସକ ଦଳର ଚାପରେ ଆସି ସେ ହୁଏତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇ ପାରନ୍ତି । ହେଲେ ସେଭଳି କିଛି ହୋଇନାହିଁ । ବରଂ କଡା ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି ରାଜୁ । ସେପଟେ ରାଜୁ ପ୍ରାର୍ଥୀ ଭାବେ ମୈଦାନରେ ରହିବା ପରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅଡୁଆ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହାକୁ ଖଣ୍ଡନ କରିଛି ଶାସକ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଧାମନଗରବାସୀ ରହିବେ ବୋଲି ଦମ୍ଭ ଦେଖାଇଛି ବିଜେଡି । ବିଜେପି ସପକ୍ଷରେ ସିମ୍ପାଥି ଭୋଟ ରହିଥିବା ସୂରଜ ସୂର୍ଯ୍ୟବଂଶୀ କହୁଥିବାବେଳେ କଂଗ୍ରେସ ମଧ୍ୟ କଡା ମୁକାବିଲା ଦେବ ବୋଲି କହିଛି ।
ଆସନ୍ତାକାଲିଠାରୁ କମ୍ପିବ ଧାମନଗର । ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ୍ । କିନ୍ତୁ ରାଜେନ୍ଦ୍ର ଦାସ ବିଦ୍ରୋହୀ ହେବା ପରେ ତାର ଫାଇଦା ନେବା ପାଇଁ ନୂଆ ରଣନୀତି କରୁଛି ବିଜେପି । ସେପଟେ ବିଜେଡି ନବୀନଙ୍କ ଭାବମୂର୍ତ୍ତିକୁ ନେଇ ଉପନିର୍ବାଚନରେ ପୁଣି ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି । ତେବେ ଛୋଟ ଉପନିର୍ବାଚନଟିଏ ହେଲେ ରାଜ୍ୟ ରାଜନୀତିରେ ବଡ ପ୍ରଭାବ ପକାଇବା ନେଇ ଆକଳନ କରାଯାଉଛି । କୁହାଯାଉଛି ୨୦୨୪ ପୂର୍ବରୁ ଏହା ସେମିଫାଇନାଲ । ବିଜେଡିର ବିଜୟଧାରାରେ ରୋକ ଲଗାଇ ନିଜର ଆସନ ବଜାୟ ରଖିବ ନା ବିଜେଡି ଗଡଦଖଲ କରିବ ତା ଉପରେ ନଜର ରହିଛି ।
Follow Us