Exclusive Interview : ବଡ ଖୁଲାସା କଲେ ରାଜୁ ଦାସ । କହିଲେ, ବିଜେଡିରୁ ଅଛି ଅଫର୍ । ୨୦୨୪ରେ ଲଢିବି ନିର୍ବାଚନ ।

518

କନକ ବ୍ୟୁରୋ: ବିଜେଡିକୁ ପୁଣି ଫେରିବେ କି ରାଜୁ ଦାସ? ପୁଣି ଶଙ୍ଖ ଦଳରେ ହେବେ କି ସାମିଲ? ଧାମନଗର ଉପ-ନିର୍ବାଚନ ବେଳେ ଶାସକ ବିଜେଡି ପାଇଁ ବିଦ୍ରୋହୀ ନେତା ସାଜିଥିବା ରାଜୁ ଦାସ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କନକ ନ୍ୟୁଜକୁ ଦେଇଥିବା ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ସେ ଏମିତି କିଛି କଥା କହିଛନ୍ତି, ଯାହା ତାଙ୍କୁ ପୁଣିଥରେ ଚର୍ଚ୍ଚାକୁ ନେଇଆସିଛି ।

କନକ ନ୍ୟୁଜକୁ ସାକ୍ଷାତକାର ଦେଇ ରାଜୁ ଦାସ କହିଛନ୍ତି, ବିଜେଡିରେ ମିଶିବା ପାଇଁ ତାଙ୍କୁ ଅଫର୍ ମିଳିଛି । ରାଜ୍ୟ ସ୍ତରର ବଡ ନେତା ତାଙ୍କ ସହ ଏନେଇ ଯୋଗାଯୋଗ କରିଛନ୍ତି । ହେଲେ ଧାମନଗରବାସୀ ସହ ଆଲୋଚନା ପରେ ସେମାନେ ଯେଉଁ ଦଳ କହିବେ, ସେ ସେହି ଦଳରେ ଯୋଗ ଦେବେ ବୋଲି କହିଛନ୍ତି ରାଜୁ ଦାସ । ତେବେ ରାଜୁ ଦାସଙ୍କ ଏହି ବୟାନ ସେ ବିଜେଡିରେ ସାମିଲ ହେବା ନେଇ ଇସାରା ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

୨୦୨୪ ନିର୍ବାଚନ ଲଢିବେ ରାଜୁ ଦାସ

ରାଜୁଙ୍କ କହିବା କଥା, ସେ ସ୍ୱାଭିମାନର ସହ ଲଢେଇ କରୁଥିଲେ ଆଜି ବି କରୁଛନ୍ତି । ଛାତ୍ର ଜୀବନରୁ ଆଜି ପର୍ଯ୍ୟନ୍ତ ସେ ଲୋକଙ୍କ ସେବା କରୁଛନ୍ତି । ଧାମନଗର ନିର୍ବାଚନ ହାରିଥିଲେ ବି ସେ ଲୋକଙ୍କ ସହ ଅଛନ୍ତି । ଆଉ ସବୁବେଳେ ଲୋକଙ୍କ ସହ ରହିବେ ମଧ୍ୟ । ତେବେ ୨୦୨୪ ନିର୍ବାଚନ ଲଢିବେ କି ନାହିଁ ପ୍ରଶ୍ନର ମଧ୍ୟ ଜବାବ୍ ରଖିଛନ୍ତି ରାଜୁ ଦାସ ।

ଆସନ୍ତା ୨୦୨୪ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି ଖୁଲାସା କରିଛନ୍ତି । ତେବେ କେଉଁ ଦଳରୁ ଲଢିବେ ଏବଂ କେଉଁ ଆସନରୁ ଲଢିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ସମ୍ଭବତଃ ସେ ଧାମନଗର ନଚେତ୍ ଭଦ୍ରକ ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଛି । ସେହିପରି ବିଜେଡି ସହିତ ବିଜେପି, କଂଗ୍ରେସ ଓ ଅନ୍ୟ କିଛି ଦଳରୁ ତାଙ୍କ ପାଇଁ ଅଫର୍ ଆସିଛି । ଲୋକଙ୍କ ସହ ଆଲୋଚନା ପରେ ସେ ଦଳରେ ମିଶିବା ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

‘ମୁଁ ପୂର୍ବରୁ ଗୋଟିଏ ବ୍ରାଣ୍ଡରେ ଥିଲି…’

ଅନ୍ୟପଟେ ଦୀର୍ଘ ଦିନ ପରେ ବିଜେଡିରୁ ବହିଷ୍କୃତ ହେବା ନେଇ ମଧ୍ୟ ରାଜୁ ଦାସ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ମୁଁ ପୂର୍ବରୁ ଗୋଟିଏ ବ୍ରାଣ୍ଡରେ ଥିଲି, ହେଲେ ଏବେ ସେ ବ୍ରାଣ୍ଡରୁ ମୁଁ ବାହାରିଆସିଛି । ସେମାନେ ମୋତେ ବହିଷ୍କାର କରିଛନ୍ତି । ହେଲେ ସମୟ କହିବ, ମୁଁ ଫେରିବି କି ନାହିଁ । ତେବେ ସକ୍ରିୟ ରାଜନୀତିରେ ରହିବାକୁ ସେ ଚେଷ୍ଟା କରୁଥିବା କନକ ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି ।

କିଏ କାଟିଲା ବିଜେଡି ଟିକେଟ୍ ?

ସେପଟେ ଧାମନଗର ଉପ ନିର୍ବାଚନ ବେଳେ ତାଙ୍କ ଟିକେଟ୍ କିଏ କାଟିଲା ସେ ନେଇ ମଧ୍ୟ ବଡ ଖୁଲାସା କରିଛନ୍ତି ଏହି ବିଦ୍ରୋହୀ ନେତା । କିଛି ଜିଲ୍ଲା ନେତା ତଥା ବିଧାୟକ ଜାଣିଶୁଣି ତାଙ୍କ ଟିକେଟ୍ କାଟିଛନ୍ତି ବୋଲି ସେ କହିଛନ୍ତି । ଉକ୍ତ ନେତାମାନଙ୍କର ପତିଆରା କ୍ଷୁର୍ଣ୍ଣ ହେଇଯିବା ଭୟରେ ସେ ଏମିତି କରିଛନ୍ତି ବୋଲି ରାଜୁ ଦାସ କହିଛନ୍ତି । ସେହିପରି କାଳେ ସେ ନିର୍ବାଚନ ଜିତିଲେ, ତାଙ୍କ ପତିଆରା ବଢିଯିବ ସେ ନେଇ ଚିନ୍ତା କରି ଜିଲ୍ଲା ନେତାମାନେ ତାଙ୍କ ଟିକେଟ୍ କାଟିଥିବା କଥା କନକ ନ୍ୟୁଜକୁ କହିଛନ୍ତି ରାଜୁ ଦାସ ।

ସୂଚନାଯୋଗ୍ୟ ଯେ, ରାଜୁ ଦାସ ହେଉଛନ୍ତି ସେହି ନେତା, ଯିଏ ଧାମନଗର ଉପ-ନିର୍ବାଚନ ବେଳେ ବିଜେଡି ପାଇଁ ବିଦ୍ରୋହୀ ସାଜିଥିଲେ । ଅବନ୍ତୀ ଦାସଙ୍କୁ ବିଜେଡି ଧାମନଗର ଉପ-ନିର୍ବାଚନ ଟିକେଟ୍ ଦେବା ପରେ, ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେଇ ନିର୍ବାଚନ ଲଢିଥିଲେ । ତେବେ ଦଳ ବିରୋଧରେ ଯାଇ ସେତେବେଳେ ନିର୍ବାଚନ ଲଢିଥିବାରୁ ଦଳ ତାଙ୍କୁ ବହିଷ୍କାର ବି କରିଥିଲା । ହେଲେ ନିର୍ବାଚନ ରେଜଲ୍ଟରେ କିନ୍ତୁ ରାଜୁ ଦାସଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା । ରାଜୁ ଦାସଙ୍କୁ ଉପ-ନିର୍ବାଚନରେ ୮ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ଆଉ ଏହି ଉପ-ନିର୍ବାଚନରେ ବିଜେଡିକୁ ହରାଇ ଧାମନଗର ବାଜି ଜିତିଥିଲା ବିଜେପି । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପାଖାପାଖି ୧୦ ହଜାର ଭୋଟରେ ହରାଇଥିଲେ ।