ରାଜସୁନାଖଳାର ଶୁଖୁଆ ବଜାର । ହାଟରେ ମିଳେ ଦେଢ଼ଶହ ପ୍ରକାରର ଶୁଖୁଆ, ଶୁଖୁଆ ପାଇଁ ରହିଛି ସ୍ୱତନ୍ତ୍ର ପରିଚୟ

959

କନକ ବ୍ୟୁରୋ : ଝୁଡ଼ି ଝୁଡ଼ି ହୋଇ ଦୋକନରେ ଥୁଆ ହୋଇଛି ବିଭିନ୍ନ ପ୍ରକାରର ଶୁଖୁଆ । ଇଲିସି, କଂଟିଆ, ଖଅଙ୍ଗା, ଚାନ୍ଦି, ପଥରମୁଣ୍ଡି, ଖରପାଣିଆ, ସାବେଳା, ଟାଙ୍ଗଳା, ମହୁରାଡ଼ି, ଚୁଙ୍ଗୁଡ଼ି ଭଳି ଦେଢ଼ ଶହ ପ୍ରକାରର ଶୁଖୁଆ ଏହି ହାଟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ହାଟରେ ଛୋଟ ବଡ଼ ହୋଇ ୬୦ରୁ ୭୦ଟି ଶୁଖୁଆ ଦୋକାନ ରହିଥିବା ବେଳେ ବିନା କେମିକାଲ ଯୁକ୍ତ ଏହି ଶୁଖୁଆ କିଣିବାକୁ ବଜାରରେ ଜମୁଛି ଭିଡ଼ । ୨୦ ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ଏଠାରେ ଶୁଖୁଆ ମିଳିଥାଏ । ପ୍ରତିଦିନ ଏଠାରେ ଲକ୍ଷାଧିକ ଟଙ୍କାର ଶୁଖୁଆ ବେପାର ହୋଇଥାଏ । ଭଲ ଶୁଖୁଆ ଏବଂ ବିଭିନ୍ନ ଭେରାଇଟି ପାଇଁ ଏହି ବଜାରର ସ୍ୱତନ୍ତ୍ରତତା ରହିଛି । ସ୍ୱାଦ ଏବଂ ଗୁଣବତା ଦୃଷ୍ଟିରୁ ସାରା ଓଡ଼଼ିଶାରେ ପରିଚିତ ଏଠାକାର ଶୁଖୁଆ ।

ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଯିବାବାଟରେ ପଡ଼ିଥାଏ ଏହି ହାଟ । ବଭିନ୍ନ ପ୍ରକାରର ଶୁଖୁଆ ମିଳୁଥିବାରୁ ଏଠାରୁ ଶୁଖୁଆ କିଣିନେଇଥାଆନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକ । ଏହି ହାଟକୁ ବାଲେଶ୍ୱର ହୁମା, ବ୍ରହ୍ମପୁର, କାକିନାଡ଼ା, ପାରିକୁଦ, ଅସ୍ତରଙ୍ଗ, ଆନ୍ଧ୍ର ଭଳି ଅଂଚଳରୁ ଶୁଖୁଆ ଆସିଥାଏ । ମେସିନ ଦ୍ୱାରା ନୁହେଁ ମତ୍ସ୍ୟଜୀବୀ ମାନେ ନିଜ ହାତରେ ଏହି ଶୁଖୁଆ ପ୍ରସ୍ତୁତ କରୁଥିବାରୁ ଏହାର ସ୍ୱାଦ ମଧ୍ୟ ଭିନ୍ନ । ସୁଲଭ ଦର ଓ ବହୁଦିନ ଧରି ରହୁଥିବାରୁ ରାଜସୁନାଖଳା ଶୁଖୁଆର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀ ମାନେ ଏଠାକୁ ଆସି ଶୁଖୁଆ କିଣିନିଅନ୍ତି ।

କୁହାଯାଏ ବସରେ ଯିବା ବେଳେ ଯଦି ନିଦ ହୋଇଯାଇଥାଏ ଯେଉଁଠି ଶୁଖୁଆ ଗନ୍ଧରେ ଯାତ୍ରୀଙ୍କ ନିଦ ଭାଙ୍ଗିଯାଏ ସେହି ଛକ ହେଉଛି ରାଜସୁନାଖଳା ବଜାର । କାହିଁ କେତେ ବର୍ଷ ତଳରୁ ଏହି ବଜାରର ନା ରହିଆସିଛି । କୁହାଯାଏ ସୁନାଖଳାରେ ସୁନା ଏବଂ ଶୁଖୁଆ ଦୋକାନ ବହୁ ପରିମାଣରେ ରହିଥିବାରୁ ଏହି ଯାଗାର ନାଁ କୁଆଡ଼େ ରାଜସୁନାଖଳା ରଖାଯାଇଛି ।